ଜେଡପ୍ଲସ୍ ସୁରକ୍ଷା ବଳୟ ଭିତରେ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ହଟାଗଲା ଏସପିଜି ସୁରକ୍ଷା କବଜ

ନୂଆଦିଲ୍ଲୀ,୨୬ା୮/ଏଜେନ୍ସି: କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଦାନ କରାଯାଇଥିବା ସ୍ପେଶାଲ ପ୍ରେଟେକ୍ସନ୍ ଗ୍ରୁପ(ଏସପିଜି)କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ଜେଡପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗ ପକ୍ଷରୁ ମନ୍ତ୍ରାଳୟକୁ ନିୟମିତଭାବେ ମିଳୁଥିବା ରିପୋର୍ଟ ଆଧାରରେ ଦେଶର ମୁଖ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥାଏ ଏବଂ ଆବଶ୍ୟକ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଇଥାଏ । ନିକଟରେ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ(ଏସପିଜି)ର ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି । ତେଣୁ ତାଙ୍କ ନିକଟରୁ ଏସପିଜି ସୁରକ୍ଷା ବଳୟ ହଟାଯାଇ ତାଙ୍କୁ ଜେଡପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।