ନେପାଳକୁ ସମର୍ଥନ କଲେ ମନୀଷା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦେଇ ନୂଆ ବିବାଦ ଛିଡ଼ା କରିଛି ନେପାଳ। ଏହାକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଥିବାବେଳେ ନିଜ ଦେଶ ନେପାଳକୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ମନୀଷା କୋଇରାଲା। ସୋସିଆଲ ମିଡିଆରେ ମନୀଷାଙ୍କ ଟୁଇଟକୁ ନେଇ ଖୁବ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମନୀଷାଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇନାହାନ୍ତି। ମନୀଷା ଟୁଇଟ କରିଛନ୍ତି – ‘ଆମ ଭଳି ଛୋଟ ଦେଶର ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ଧନ୍ୟବାଦ। ଆମେ ସମସ୍ତ ତିନି ମହାନ ଦେଶଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସମ୍ମାଜନଜନକ ସନ୍ଦେଶ ଅପେକ୍ଷାରେ ଅଛୁ।’ ସୂଚନାଯୋଗ୍ୟ, ନେପାଳ ଉପରୋକ୍ତ ତିନି ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନୂଆ ମାନଚିତ୍ର ପ୍ରସ୍ତୁତ କରିବା ସହ ତାହାକୁ କ୍ୟାବିନେଟରେ ପାସ୍ କରାଇନେଇଛି।