ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାର ଲୋକ ମହୋତ୍ସବ ତଥା ଗଣପର୍ବ ମଣ୍ଡେଇର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବେତାଳ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀ ପୀଠରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅତିଥିଙ୍କ ଦ୍ୱାରା ମଣ୍ଡେଇ ୨୦୨୨ର ପୋଷ୍ଟର ଉନ୍ମୋଚିତ ହୋଇଥିଲା । ଗତ ୨ବର୍ଷ ଧରି ମଣ୍ଡେଇ ମହୋତ୍ସବ କରୋନା କଟକଣା ପାଇଁ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରରେ ବେତାଳ ଗ୍ରାମ ପରିକ୍ରମା କରିବା ସହ ମା’ ଭଣ୍ଡାର ଘରଣୀଙ୍କ ପୀଠରେ ପହଞ୍ଚିବା ପରେ ମା’ଙ୍କ ଆଜ୍ଞାମାଳ ନେଇଥିଲେ ଏବଂ ପିଠରୁ ମା’ଙ୍କ ପ୍ରତୀକ ଲାଠି ଗାଦି ସହ ଏକ ମଶାଲ ଧରି ପଟୁଆରେ ସ୍ଥାନୀୟ ପଡ଼ିଆରେ ଥିବା ଷ୍ଟେଜ ନିକଟରେ ପହଞ୍ଚି ମଶାଲ ସ୍ଥାପନ କରିଥିଲେ । ପରେ ଆୟୋଜିତ ସଭାରେ ଜିଲ୍ଲାପାଳ ଡା.କମଳ ଲୋଚନ ମିଶ୍ରଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡଙ୍କ ସମେତ ଅନ୍ୟ ଅଧିକାରୀ ଅତିଥିଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ମଣ୍ଡେଇ ସଫଳତାର ସହ ଶେଷ ହେବା ନେଇ କାମନା କରିଥିଲେ । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ସମସ୍ତ ବ୍ଲକରେ ମଣ୍ଡେଇ ମହୋତ୍ସବ ପାଳନ କରାଯିବାକୁ ମନା କରାଯାଇଥିବାବେଳେ ସଦର ବ୍ଲକରୁ ମଣ୍ଡେଇର ଶୁଭାରମ୍ଭ ହେବ । ମଣ୍ଡେଇ ମହୋତ୍ସବକୁ ଆକର୍ଷିତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୧୦ ତାରିଖରୁ ଜିଲ୍ଲାସ୍ତରୀୟ ମଣ୍ଡେଇ ମହୋତ୍ସବ ନୂତନ ମଣ୍ଡେଇ ପଡ଼ିଆରେ ଆରମ୍ଭ ହେବ । ୩ଦିନ ଧରି ମଣ୍ଡେଇ ମହୋତ୍ସବ ପାଳନ କରାଯିବା ସହ ୨ଦିନ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ମିଶନ ଶକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାରର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରି ପାଇଁ ଷ୍ଟଲ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଛି ବୋଲି ଜିଲ୍ଲାପାଳ ଡା. ମିଶ୍ର ସୂଚନା ଦେଇଛନ୍ତି । ଉକ୍ତ ସଭାରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳଙ୍କ ସଂଯୋଜନାରେ ବିଧାୟକ ପ୍ରତିନିଧି କୌଶଲ୍ୟା ପ୍ରଧାନି, ସାଂସଦ ପ୍ରତିନିଧି ବାବୁଲି ମିଶ୍ର, ଶିକ୍ଷାବିତ ଡା. ବିଜୟ ମିଶ୍ର, ବ୍ୟଙ୍ଗକବି ବିଜୟ ଚୌଧୁରୀ ଓ ସମାଜସେବୀ ମୁନା ତ୍ରିପାଠୀଙ୍କ ସମେତ ବହୁ ଲୋକ ଅଂଶଗ୍ରହଣ କରିଥିଲେ ।