ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ପରଲୋକ ଘଟିଛି । ସୋମବାର ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମ୍ପର୍କରେ ତାଙ୍କ ସାନ ପୁଅ ମନତୋଷ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ସମଗ୍ର ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିର୍ଦ୍ଦେଶିତ ଆଠଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଆଂଚଳିକ ଚଳଚ୍ଚିତ୍ର ଭାବରେ ପୁରସ୍କାର ଲାଭ କରିଥିଲା ।

ଏହା ମଧ୍ୟରୁ ନିରବ ଝଡ ବେଶ୍ ଲୋକପ୍ରିୟ ହୋଇଥିଲା । ଏହା ବ୍ୟତୀତ ସେ ୧୯୯୬ରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ବିଟସ୍ ଆଣ୍ଡ ପିସେସ୍ ’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସ୍ୱର୍ଗତ ମହାପାତ୍ର୧୯୫୧ମସିହା ନଭେମ୍ବର ମାସରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ । ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ସେ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସି ପୁନେ ସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଯୋଗଦେଇଥିଲେ । ସେଠାରୁ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

୧୯୭୫ ମସିହାରେ ପ୍ରଥମ କରି ଆଂଟି-ମେମୋରିସ୍ ନାମକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ୧୯୮୧ ମସିହାରେ ‘ଶୀତ ରାତି ‘ର ନିର୍ଦ୍ଧେଶନା ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ଏବଂ ପ୍ରଥମ ଥର କୌଣସି ଆନ୍ତର୍ଜାତୀକ ଚଳଚ୍ଚିତ୍ର ଉତ୍ସବରେ ଏକ ଓଡ଼ିଆ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ କଥାଚିତ୍ର ବ୍ୟତୀତ, ସେ ବହୁ ଅନ୍ୟ ବୃତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।

ତାଙ୍କର ଅନନ୍ୟ କୃତୀ ମଧ୍ୟରେ ରହିଛି ‘ନୀରବ ଝଡ଼’ (୧୯୮୪), ‘କ୍ଳାନ୍ତ ଅପରାହ୍ଣ’ (୧୯୮୫),’କୁହୁଡ଼ି’(୧୯୮୬),’କିଛି ସ୍ମୃତି କିଛି ଅନୁଭୂତି’(୧୯୮୮),’ଅନ୍ଧ ଦିଗନ୍ତ’(୧୯୯୦) ,’ମଝି ପାହାଚ’ (୧୯୮୭),’ନିଶିଥ ସ୍ୱପ୍ନ’(୧୯୮୮),’ମୂହୁର୍ତ’(୨୦୧୧), ‘କୋଣାର୍କ : ଦ ସନ୍ ଟେମ୍ପଲ’(୧୯୮୩) , ଭଏସ୍ ଅଫ୍ ସାଇଲେନ୍ସ (୧୯୮୨) ଏବଂ ଆହୁରି ଅନେକ । ‘ଭିନ୍ନ ସମୟ’ (୧୯୯୨) , ’ଅନ୍ଧ ଦିଗନ୍ତ’(୧୯୯୦) , ’କିଛି ସ୍ମୃତି କିଛି ଅନୁଭୂତି ‘(୧୯୮୮),’ମଝି ପାହାଚ’(୧୯୮୭), ‘କ୍ଳାନ୍ତ ଅପରାହ୍ଣ’ (୧୯୮୫),’ନୀରବ ଝଡ’(୧୯୮୪) ,’ଶୀତ ରାତି’ ୧୯୮୧) ଓ ‘ନିଶିଥ ସ୍ୱପ୍ନ’(୧୯୮୮) ପାଇଁ ସେ ଶ୍ରେଷ୍ଠ ଆଂଚଳିକ ଓଡ଼ିଆ କଥାଚିତ୍ର ପୁରସ୍କାର ପାଇଥିଲେ ।

ଏହା ବ୍ୟତୀତ ସ୍ୱର୍ଗତ ମହାପାତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର , ୨୦୦୧ରେ ଜୟଦେବ ପୁରସ୍କାର ରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୧୭ରେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନସୂଚକ ଡିଲିଟ ପ୍ରଦାନ କରାଯାଇଥିଲା ।