ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତିଲେ ଯୁବକ, ବାରହା ମୃତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଅଧୀନ କମାରପାଳ ପିଆରଏଫ ଜଙ୍ଗଲରେ ଆଜି ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛା ଯାଇଥିବା ସୂଚନାପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ମୃତ ଜଙ୍ଗଲି ବାରହା ଉଦ୍ଧାର କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଖଣ୍ଡାଧୂଆଁ ଗ୍ରାମର ବିକାଶ ବିଶ୍ୱାଳ(୨୩) ସନ୍ଧ୍ୟା ସମୟରେ ଜଙ୍ଗଲ ନିକଟକୁ ଶୌଚ କରିବାକୁ ଯାଇଥିବା ବେଳେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ସେ ବିଦ୍ୟୁତ ଝଟକା ପାଇବା ପରେ ବନବିଭାଗକୁ ଜଣାଇଥିଲେ। ବନପାଳ ପ୍ରିତମ କୁମାର ସାହୁ, ବନରକ୍ଷୀ ଗୋପାଳ କୃଷ୍ଣ ମହାକୁଳ ସମେତ ପାରା ଷ୍ଟାଫ୍ ଘଟଣାସ୍ଥଳକୁ ପହଞ୍ଚି ବିଦ୍ୟୁତ ତାରକୁ ଜବତ କରିବା ସହ ଏକ ମୃତ ଜଙ୍ଗଲି ବାର୍ହାକୁ ଉଦ୍ଧାର କରିଥିଲେ।

ମୃତ ବାରହାକୁ ରିଆମାଳ ସ୍ଥିତ କରୋଡଝରଣ ଚାରା ରୋପଣ କେନ୍ଦ୍ରକୁ ଆଣି ସହକାରୀ ବନ ସଂରକ୍ଷକ ପିଟର ଟିଗାଙ୍କ ଉପସ୍ଥିତିରେ ରିଆମାଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱପ୍ନେଶ୍ୱର ନାୟକ ବ୍ୟବଚ୍ଛେଦ କରିବା ସହ ବାରହାଟିକୁ ପୋତି ଦେଇଥିଲେ। ଏଥିସହ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇ ଥିଲେ ମଧ୍ୟ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ।