ମମତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ୪୩ ମନ୍ତ୍ରୀ ନେଲେ ଶପଥ

କୋଲକାତା, ଏଜେନ୍ସି: ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ୪୩ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିରୁ ୨୪ଜଣ କ୍ୟାବିନେଟ୍ ପାହ୍ୟା ଓ ୧୯ଜଣ ରାଷ୍ଟ୍ର ପାହ୍ୟାର ମନ୍ତ୍ରୀ ହୋଇଥିଲାବେଳେ ୧୦ଜଣ ମନ୍ତ୍ରୀଙ୍କୁ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି।
ସୋମବାର ପୂର୍ବାହ୍ଣ ୧୦.୪୫ରେ ରାଜଭବନ ପରିସରରେ କୋଭିଡ୍ ପ୍ରୋଟୋକଲ ମଧ୍ୟରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ରାଜ୍ୟପାଳ ଜଗଦୀପ ଧନକର ନୂଆ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। କେତେକ ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ଏଥିରେ ଉପସ୍ଥିତ ରହିଥିଲେ। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୧୬ ନୂଆ ମୁହଁ ମଧ୍ୟରେ ଅଛନ୍ତି ପୂର୍ବତନ କ୍ରିକେଟିୟର ମନୋଜ ତିୱାରୀ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚରମ ବିରୋଧୀ ଅଖିଳ ଗିରି, ବରିଷ୍ଠ ନେତା ବିପ୍ଳବ ମିତ୍ର ଓ ପୂର୍ବତନ ଆଇପିଏସ୍ ଅଧିକାରୀ ହୁମାୟୁନ୍ କବୀର୍।