ମମିତା ହତ୍ୟାକାଣ୍ଡ: ଦଫା ଲଗାଇ ମନ୍ତ୍ରୀଙ୍କୁ ବିଦା କର- ସୁରଜେୱାଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଲାଗୁ ହେଉ ୧୨୦-ବି ଦଫା। କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଗୁରୁବାର ଏଭଳି କିଛି ଦାବି କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା। ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ମହାଲିଙ୍ଗ କଲେଜ ନାଁରେ ସାଂଘାତିକ ଓ ସଙ୍ଗିନ ଅଭିଯୋଗ ଲାଗିଛି। ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତିର ପ୍ରମାଣ ବି ମିଳିଛି। ତଥାପି କାହିଁକି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରୁନାହାନ୍ତି ବୋଲି ସୁରଜେୱାଲା ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି? ସରକାରଙ୍କୁ କିଭଳି ନିଦ ହେଉଛି? ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ସୁରଜେୱାଲ।

ମନ୍ତ୍ରୀଙ୍କ ବିରୋଧରେ ୩୦୨, ୧୨୦ ବି ଦଫା ଲଗାଇ ମାମଲା ରୁଜୁ କରାଯାଉ ବୋଲି ପ୍ରେସ୍‌ମିଟ୍‌ରେ ଦୋହରାଇଛନ୍ତି ସୁରଜେୱାଲ। ଏହାସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟିସ୍ତରୀୟ ତଦନ୍ତ କରାଯାଉ। ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦଣ୍ଡବିଧାନ ହେଉ। ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ସରକାର ତାଙ୍କ ଭାଇକୁ ଚାକିରି ଦିଅନ୍ତୁ। ଏହାସହ ସେ କହିଛନ୍ତି, ଆଜି ଆମେ ତାଙ୍କ ପରିବାରକୁ ଭେଟିଥିଲୁ। ସେମାନଙ୍କ ସହ କଥା ହେଲୁ। କେତେ ଦୁଃଖରେ ସେମାନେ ଅଛନ୍ତି ତାହାକୁ ଆମେ ଅନୁଭବ କରିଛୁ।

ମମିତା କେବଳ ଏ ରାଜ୍ୟର ନୁହେଁ, ବରଂ ଦେଶର ଝିଅ। ଝିଅକୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି। କିନ୍ତୁ ଏପର୍ଯ୍ୟନ୍ତ ନବୀନ ବାବୁ ସେଠାକୁ ଗଲେ ନାହିଁ କି ସେମାନଙ୍କ କଥାକୁ ଶୁଣିଲେ ନାହିଁ। ଯଦି ଏହି ଘଟଣାକୁ ଗମ୍ଭୀରତାର ସହ ନବୀନ ବାବୁ ନେଇଥାଆନ୍ତେ, ତେବେ ତାଙ୍କ ମନ୍ତ୍ରୀଙ୍କୁ ବରଖାସ୍ତ କରିଥାଆନ୍ତେ। କେବଳ ଏତିକି ନୁହେଁ, ସେ କହିଛନ୍ତି, ଏହି ଘଟଣା ଏତେ ଗମ୍ଭୀର ଯେ ମୁଖ୍ୟମନ୍ତ୍ରୀଙ୍କୁ ରାତିରେ ନିଦ ଆସିବା କଥା ନୁହେଁ। କିନ୍ତୁ ସେ ନାଭିରେ ତେଲ ମାଲି ଶୋଇଛନ୍ତି। ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡ ଦେବା ଦରକାର। ହେଲେ ମମିତାଙ୍କ ପରିବାର ଲୋକଙ୍କ ମାମଲା ରୁଜୁ କରିନଥିଲା ପୁଲିସ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସୁରଜେୱାଲା ଆହୁରି କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, ଏଠି ପୁଲିସ କରୁଛି କ’ଣ? ଅପହରଣର ୫ ଦିନ ପରେ କାହିଁକି ମାମଲା ରୁଜୁ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଉ ପୁଲିସ ହେପାଜତରୁ କେମିତି ମୁଖ୍ୟ ଅଭିଯୁକ୍ତ ପଳାଇଲା ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପୁଣି ଗୋଟିଏ ନିର୍ଭୟାର ଓଡ଼ିଶାରେ ଜନ୍ମ ହୋଇଥିବା କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ଘଟଣା କହିବା ବେଳକୁ ମତେ ଦୁଃଖ ଓ କଷ୍ଟ ହେଉଛି। କିନ୍ତୁ ଏ ସରକାର ଶୋଇଛି ବୋଲି ସଙ୍ଗିନ୍ ଆରୋପ ଲଗାଇଛନ୍ତି ସୁରଜେୱାଲା।