କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ୍ : ରାଜନୀତି ନହେଉ

ନୂଆଦିଲ୍ଲୀ,ଏଜେନ୍ସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭାଗ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। ବିଶ୍ୱ ମହାମାରୀ କରୋନା ସଙ୍କଟ ଭିତରେ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ମମତା କହିଛନ୍ତି ରାଜ୍ୟଗୁଡିକ ସେମାନଙ୍କର ସାଧ୍ୟ ମୁତାବକ କରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି। ଏଭଳି ସଙ୍କଟଜନକ ସ୍ଥିତିରେ କେନ୍ଦ୍ର କୌଣସି ପ୍ରକାର ରାଜନୀତି କରିବା ଅନୁଚିତ। ଅନ୍ତର୍ଜାତୀୟ ସୀମାକୁ ଆମ ରାଜ୍ୟ ଲାଗିଛି। ଏହାକୁ ମଧ୍ୟ ଦୃଷ୍ଟି ଦେଇ କେନ୍ଦ୍ରକୁ କାର୍ଯ୍ୟକରିବାକୁ ହେବ। ସବୁ ରାଜ୍ୟକୁ ସମାନ ଭାବରେ ଗୁରୁତ୍ୱ ଦିଆଯିବା ଦରକାର। ଆମେ ମିଳିତ ଭାବେ କାର୍ଯ୍ୟ ନକଲେ ଟିମ୍ ଇଣ୍ଡିଆ ସମ୍ଭବ ହେବ ନାହିଁ ।

ଉଲ୍ଲେଖଯୋଗ୍ୟ ଏବେ ନିକଟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କ କୋଭିଡ୍-୧୯ ପରିଚାଳନା ନୀତିକୁ କଡା ସମାଲୋଚନା କରିଥିଲେ। କେନ୍ଦ୍ର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ଯେତିିକି ପରିମାଣରେ କରୋନା ଟେଷ୍ଟ କରାଯାଉଛି ଜନସଂଖ୍ୟା ଅନୁପାତରେ ତାହା ଯଥେଷ୍ଟ କମ୍। ଏହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଉଛି।  ଭାରତ-ବାଲାଂଦେଶ ସୀମା ଦେଇ ମାଲପରିବହନ ନିମନ୍ତେ ମମତା ବାନାର୍ଜୀଙ୍କ ସରକାର ଅନୁମତି ନଦେବାରୁ କେନ୍ଦ୍ର ସରକାର ଏଥିରେ କ୍ଷୁବ୍ଧ ହୋଇଥିଲେ। ଏହାଦ୍ୱାରା ପଡୋଶୀ ରାଷ୍ଟ୍ରପତି ଭାରତର ଅଙ୍ଗୀକାରବଦ୍ଧତା କ୍ଷୁର୍ଣ୍ଣ ହୋଇଥିବା କେନ୍ଦ୍ର ପକ୍ଷରୁ ଦର୍ଶାଯାଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଏଥିପାଇଁ କଡାଚିଠି ଲେଖିଥିଲେ। ପଶ୍ଚିମବଙ୍ଗ ସରକାର ଏହା କରିବା ଦ୍ୱାରା କେବଳ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶର ଅବମାନନା କରିନାହାନ୍ତି। ଏଥିସହିତ ବିପର୍ଯ୍ୟୟ ପରିଚାଳନା ଆଇନର ଉଲ୍ଲଘଂନ କରିଛନ୍ତି ବୋଲି ଏହି ଚିଠିରେ ଦର୍ଶାଯାଇଥିଲା।