ମହିଳା ସବଇନସ୍ପେକ୍ଟରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ମାଲକାନଗିରି, ଏନ୍ଏନ୍ଏସ୍ : ଅନେକ ଅପରାଧୀ ପୁଲିସକୁ ଚକମା ଦେଇ ଖସି ଯାଉଥିବା ବେଳେ ଆଉ କେତେକ ଅପରାଧ ଜନିତ ଘଟଣା ପୁଲିସର ତଦନ୍ତରେ ତ୍ରୁଟି ଏବଂ ସାକ୍ଷୀମାନଙ୍କ ବୟାନ ବଦଳ ଯୋଗୁ ବଡ଼ ବଡ଼ ଅପରାଧୀମାନେ ଦୋଷ କରିଥିଲେ ମଧ୍ୟ ଆଇନ ଆଖିରୁ ଖସି ଯାଆନ୍ତି। ମାଲକାନଗିରି ଜିଲ୍ଲାରେ ଏମିତି ଜଣେ ମହିଳା ପୁଲିସ ଅଧିକାରୀ ଯିଏ କି ତାଙ୍କ ଚାକିରି କାଳ ମଧ୍ୟରେ ଅନେକ ଅପରାଧୀଙ୍କୁ ଧରିବା ଏବଂ ସଠିକ ତଦନ୍ତ କରି ନ୍ୟାୟଳୟକୁ ବିଚାର ନିମନ୍ତେ ପଠାଇବା ସହ କେସର ଶେଷ ବିଚାର ପର୍ଯ୍ୟନ୍ତ ନିଜକୁ ସେଥିରେ ସାମିଲ କରି କୃତ କାର୍ଯ୍ୟ ହୋଇଛନ୍ତି। ତାଙ୍କର ତଦନ୍ତ ଏବଂ ଦକ୍ଷତା ଯୋଗୁ ଅନେକ ଅପରାଧୀ ଜେଲ ଭୋଗୁଥିବା ଜଣା ପଡ଼ିଛି ।

ବାଲିମେଳା ଥାନାରେ ଥିବା ସମୟରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅପରାଧୀ ଖସି ଯିବା ପାଇଁ ଅନେକ ଚେଷ୍ଟା କରିଥିଲେ । ଏପରିକି ବିଭିନ୍ନ ଚାପ ପ୍ରମାଣ ନଷ୍ଟ କରିବା ପାଇଁ ଜନୈକ ଆସାମୀ ଅନେକ ଚେଷ୍ଟା କରିଥିଲେ ମଧ୍ୟ ମହିଳା ପୁଲିସ ଅଧିକାରୀଙ୍କ ଦୃଢ ମନୋବଳ ଏବଂ ନିର୍ଭିକ ତଦନ୍ତ ଯୋଗୁ ସମ୍ପୃକ୍ତ ଆସାମୀ କୋର୍ଟରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଛନ୍ତି। ଏହିପରି ଅନେକ ଅପରାଧୀକ ଘଟଣାର ତଦନ୍ତ କରି ବର୍ତମାନ ମାଲକାନଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ସବଇନିସ୍ପେକ୍ଟର ସନ୍ତୋଷୀ ବାରିକଙ୍କୁ ଭୁବନେଶ୍ୱର ଠାରେ ପୁଲିସ ମହାନିର୍ଦେଶକ ବିଜୟ କୁମାର ଶର୍ମା ସମ୍ମାନୀତ କରିଛନ୍ତି। ଏହାଦ୍ୱାରା ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ମହିଳା ପୁଲିସ କର୍ମଚାରୀ ଏବଂ ଅଧିକାରୀମାନଙ୍କ ମନୋବଳ ବୃଦ୍ଧି ପାଇଛି।