ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ଗତ ୧୫ ତାରିଖ ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିଳ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି। ସଂପୃକ୍ତ ଅଂଚଳରେ ପ୍ରାୟ ୨୦ ରୁ ୩୦ ଜଣ ମାଓବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ପରେ ଚିତ୍ରକୋଣ୍ଡା ଏସ.ଡି.ପି.ଓ ଏସ.ହେମ୍ବରମଙ୍କ ନେତୃତ୍ୱରେ ବି.ଏସ.ଏଫ ,ଡି.ଭି.ଏଫ ଓ ଏସ.ଓ.ଜି ଜବାନଙ୍କ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ।
ଏହି ସମୟରେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚାଳନା କରିବାରୁ ଏହାର ପ୍ରତି ଜବାବରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। କିଛି ସମୟ ପରେ ମାଓବାଦୀମାନେ ଘଂଚ ଜଙ୍ଗଲର ସୁବିଧା ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ଯବାନମାନେ ଘଟଣାସ୍ଥଳରେ ତଲାସୀ କରିବା ପରେ ସେଠାରୁ ଗୋଟିଏ ମାଓ ପୋଷାକ, ୨ ଟି ମାଓ ସାର୍ଟ, ଗୋଟିଏ ବେଲ୍ଟ, ଗୋଟିଏ ଟୋପି, ୩ ଟି କିଟ ବ୍ୟାଗ, ଗୋଟିଏ ହଳ ଜୋତା, ଗୋଟିଏ ମୋବାଇଲ ଫୋନ, ରୋଷେଇ ସାମଗ୍ରୀ, ଗୋଟିଏ ଚାର୍ଜର ଷ୍ଟାଣ୍ଡ, ୨ ଟି ଟର୍ଚ୍ଚ ଲାଇଟ, ୨ ଟି କମ୍ବଳ, ଗୋଟିଏ ହଳ ସାଧା ପୋଷାକ, ଗୋଟିଏ ଡେକଚି, ଗୋଟିଏ ଜାଲ, ୩ ଟି ପାଣି ଜାରକିନ, ୨ ଟି ଷ୍ଟିଲ ଟିଫିନ ବାକ୍ସ, ୨ ଟି ଷ୍ଟିଲ ଜଗ, ୨ ଟି ଷ୍ଟିଲ ପ୍ଲେଟ, ୨ ଟି ଷ୍ଟିଲ ସ୍ପୁନ ଓ ଦୈନିକ ବ୍ୟବହୃତ ସମାଗ୍ରୀ ଜବତ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି। ଗତ କିଛି ଦିନ ହେଲା ପୋଲିସ ପକ୍ଷରୁ ଲଗାଦାର କୁ୍ମ୍ବିଂ ଅପରେସନ କରାଯାଇ ମାଓ ସଂଗଠନ ଉପରେ ଚାପ ପ୍ରୟୋଗ କରାଯାଉଛି। ଯାହାର ଫଳ ସ୍ୱରୂପ ପୋଲିସକୁ ସଫଳତା ମିଳୁଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।