କେ.ସି.ସି ବ୍ୟାଙ୍କର ଦୁର୍ନୀତି ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍ : କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅନେକ ସମୟରେ ଦେଖାଯାଇଛି। କେତେବେଳେ ଅନଲାଇନରୁ ଚାଷୀଙ୍କ ପଟ୍ଟା ଡାଉନ ଲୋଡ କରି ମଣ୍ଡିରେ ଧାନ ବ୍ରିକି କରାଯାଉଥିବା ବେଳେ ଆଉ କେଉଁଠି ଚାଷୀଙ୍କୁ ଖରିଫ ଋତୁର ଧାନର ପ୍ରାପ୍ୟ ମିଳିନାହିଁ । କିନ୍ତୁ ବର୍ତମାନ ମାଲକାନଗିରି ସଦର ମହକୁମାସ୍ଥିତ କେ.ସି.ସି. ବ୍ୟାଙ୍କର ଶାଖାରେ ୯୧ଜଣ ଚାଷୀ ଋଣ ନେଇଥିବା ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଜାଲିଆତି କରି ୪୯ ଲକ୍ଷ ଟଙ୍କାର ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି ।

ଏ ନେଇ ଶିଖପାଲ୍ଲୀ ଲ୍ୟାମ୍ପସର ପୂର୍ବତନ ସଭାପତି ଅରକ୍ଷିତ ନାୟକ, ପୂର୍ବତନ ନିର୍ଦ୍ଦେଶକ ଖୋକନ କୁମାର ବାରୋଇଙ୍କ ସହ ଅମଲ କପାସିଆ, ନିତ୍ୟ ମଣ୍ଡଳ ପ୍ରମୂଖ ଚାଷୀମାନେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ଜୟପୁର କେ.ସି.ସି ବ୍ୟାଙ୍କର ସମ୍ପାଦକ, କପରେଟିଭ୍ ସୋସାଇଟି, ଜୟପୁର ଡିଭିଜନର ଡେପୁଟି ରେଜଷ୍ଟ୍ରାର ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ବଦଲି, ତୁମୁସାପାଲ୍ଲୀ, ତଣ୍ଡାପାଲ୍ଲୀ, ଏମ.ଭି- ୧୬, ବୁରୁଦି ଗ୍ରାମର ଭିମା ପଡିଆମି, ଇର୍ମା ମାଡି ଓ ଗଣେଶ ପଡିଆମି ଭଳି ୯୧ ଜଣ ଚାଷୀମାନଙ୍କ ନାମରେ ଶିଖପାଲ୍ଲୀ ଲ୍ୟାମ୍ପସରୁ ଋଣ ନେବା ଭଳି ଦର୍ଶାଇ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ।

ଏମାନଙ୍କ ପାସବୁକରେ ଲକ୍ଷ ଲକ୍ଷ ଟଙ୍କା ଋଣ ଅର୍ଥ ପୈଠ ହୋଇଛି। କିନ୍ତୁ ଏହି ଚାଷୀଙ୍କ ଅଜଣାତରେ ସମସ୍ତ ଟଙ୍କା ଉଠାଯାଇଛି। କିନ୍ତୁ ପ୍ରକୃତ ଚାଷୀମାନେ ଏହି ବିଷୟରେ କିଛି ଜାଣିନାହାନ୍ତି। ତେବେ ଏହି ଦୁର୍ନିତି ଗତ ୨୦୧୯ ମେ’ ମାସରେ ହୋଇଥିବା ଜଣାପଡିଛି। ତଣ୍ଡାପାଲ୍ଲୀ ଗ୍ରାମର ଭୀମା ମାଡକାମି ଖାତା ନଂ ୦୦୮୦୫୩୦୦୭୫୪୨ ଏହି ଖାତାରେ ଗତ ୨୦୧୯ମେ’ ମାସ ୨୦ ତାରିଖରେ ୩୨୮୦୦, ୨୦୧୯ ମେ’ ୨୭ ତାରିଖରେ ୫୨୨୦୦, ୨୦୧୯ ଜୁଲାଇ ୨୯ ତାରିଖରେ ୫୪୬୦୦ ଓ ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ୫୨୨୦୦ ଟଙ୍କା ଜମା ଖାତାରେ ପୈଠ କରାଯାଇଛି ଏବଂ ଉକ୍ତ ଟଙ୍କା ଚଂଚକତାରେ ଉଠାଣ କରାଯାଇଛି।

ପୂର୍ବରୁ ଋଣ ନେଇଥିବା ବେଳେ ଉକ୍ତ ଋଣ ଅର୍ଥ ସୁଝି ଦେଇଛୁ। କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଆମ ଜମା ଖାତା ଫେରସ୍ତ କରିନଥିଲେ। ତେବେ ପୂନଃର୍ବାର ଋଣ ସମ୍ବନ୍ଧୀୟ ନୋଟିସ ଆସିବାରୁ ଆମେ ଏ ବିଷୟରେ ଜାଣିଲୁ ବୋଲି ବଦଲି ଗ୍ରାମର ଦେବା ମାଡ଼ି, ଇର୍ମା ମାଡ଼ି, ଦେବା ସୋଡ଼ି, ଦେବନାଥ ରାୱା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ଲ୍ୟାମ୍ପସ କର୍ମଚାରୀମାନେ କେବଳ ଆବଶ୍ୟକୀୟ ନଥିପତ୍ର ସଂଗ୍ରହ କରିଥାନ୍ତି ଓ ଏହାକୁ ବ୍ୟାଙ୍କକୁ ପଠାଇଥାନ୍ତି । ତେବେ ବ୍ୟାଙ୍କ କର୍ତୃପକ୍ଷ ଚାଷୀଙ୍କ ସମସ୍ତ କାଗଜପତ୍ର ଯାଂଚ କରି ଋଣ ମଞ୍ଜର କରି ଅର୍ଥ ପୈଠ କରିଥା’ନ୍ତି। ତେବେ ଏହି ଦୁର୍ନୀତିରେ ବ୍ୟାଙ୍କ କର୍ମଚାରୀ ନା ଉଭୟ ଲ୍ୟାମ୍ପସ ଓ ବ୍ୟାଙ୍କ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ଦୁର୍ନୀତି ହୋଇଛି, ତାହା ତଦନ୍ତ ସାପେକ୍ଷ।

ପ୍ରକାଶ ଥାଉ କି, ଗତ ୨୦୧୭ ମସିହାରେ କାଲିମେଳା ଲ୍ୟାମ୍ପରେ କୃଷି ଋଣକୁ ନେଇ ପ୍ରାୟ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଏଥିରେ ପ୍ରାୟ ୮୬୨ ଜଣ କୃଷକଙ୍କ ଠାରୁ ମିଥ୍ୟା କୃଷି ଋଣର ଜାଲିଆତିର କ୍ରାଇମ ବ୍ରାଂଚ ତଦନ୍ତ ପରେ ବ୍ୟାଙ୍କର ତିନିଜଣ କର୍ମଚାରୀ ଗିରଫ ହୋଇଥିଲେ। ତାଙ୍କ ଶାଖାରେ ଏଭଳି କୌଣସି ଦୁର୍ନୀତି ହୋଇ ନାହିଁ। ଚାଷୀଙ୍କ ଋଣ ଟଙ୍କା ତାଙ୍କ ସେଭିଙ୍ଗ ଆକାଉଂଟକୁ ଯାଇଥାଏ। ଚାଷୀ ନିଜେ ତାଙ୍କର ଉଠାଇ ନିଅନ୍ତି। ତେବେ ମୁଁ ଜଣେ ନୁହେଁ ବ୍ୟାଙ୍କରେ ପାଂଚଜଣ କର୍ମଚାରୀ ଅଛୁ। ସମସ୍ତଙ୍କ ଜରିଆରେ ଏହା ହୁଏ। ଏଭଳି କୌଣସି ଦୁର୍ନୀତି ହୋଇ ନାହିଁ ଓ ଏହା ଭିତିହିନ ବୋଲି ମାଲକାନଗିରି କେସିସି ବ୍ୟାଙ୍କ ଶାଖା ପରିଚାଳକ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି। ଏହି ଅଭି ଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ କୋରାପୁଟ ଜିଲ୍ଲାପାଳ ତଥା କେସିସି ବ୍ୟାଙ୍କ ପ୍ରଶାସକଙ୍କ ନିକଟକୁ ମଧ୍ୟ ଏହି ଅଭି ଯୋଗଯାଇଛି। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଦୁର୍ନୀତିର ଅଭିଯୋଗ ପ୍ରମାଣିତ ହେଲେ ନିଶ୍ଚିତ ଭାବେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ଥିବା ସମବାୟ ବିଭାଗ, ଜୟପୁର ବିଭାଜନର ଉପନିବନ୍ଧକ ସି.ହେଚ.ଭବାନୀ ପ୍ରସାଦ ପ୍ରକାଶ କରିଛନ୍ତି ।