ମାଲକାନଗିରି,ଏନ୍ଏନ୍ଏସ୍: ଲକଡାଉନ ମଧ୍ୟରେ ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଦେଇ ଦୈନିକ ସହସ୍ରାଧିକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ଅବ୍ୟାହତ ରହିଛି। ଏହି ପ୍ରବାସୀ ଶ୍ରମିକମାନେ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରୁ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଫେରୁଥିବା ସୂଚନା ମିଳିଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମୋଟୁସ୍ଥିତ ସିଲେରୁ ନଦୀ ପୋଲର ଉଭୟ ପାଶ୍ୱର୍ରେ ଆନ୍ଧ୍ର ପୁଲିସ ଓ ମୋଟୁ ଥାନା ପୁଲିସ ଦ୍ୱାରା ଚେକ ପୋଷ୍ଟ ଖୋଲାଯାଇଛି। ଏହି ବାଟ ଦେଇ ପ୍ରବେଶ କରୁଥିବା ଶ୍ରମିକଙ୍କ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଲକାନଗିରି ଜିଲ୍ଲାର ଶ୍ରମିକଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଉଛି। ଏଥିସହ ଜିଲ୍ଲା ବାହାରର ପ୍ରବାସୀ ଶ୍ରମିକ ଓ ବାହାର ରାଜ୍ୟର ଶ୍ରମିକଙ୍କୁ ସେମାନଙ୍କର ଜିଲ୍ଲା ଓ ରାଜ୍ୟକୁ ପଠାଯାଉଛି। ଜିଲ୍ଲାର ମୋଟୁ ପ୍ରବେଶ ପଥ ଦେଇ ଆଜି ସୁଦ୍ଧା ପ୍ରାୟ ୨୭ ହଜାରରୁ ଊର୍ଦ୍ଧ ପ୍ରବାସୀ ଶ୍ରମିକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାର ପ୍ରାୟ ୧୨ ହଜାରରୁ ଊର୍ଦ୍ଧ ଶ୍ରମିକଙ୍କୁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ଇତିମଧ୍ୟରେ ବହୁ ଶ୍ରମିକଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, କାମ କରିବାକୁ ତେଲେଙ୍ଗାନା ଯାଇଥିଲୁ। ଲକଡାଉନ ଯୋଗୁ ସେଠାରେ ଖାଇବା ପିଇବା ସମସ୍ୟା ହେଉଥିଲା। ତେଣୁ ନିଜ ଗ୍ରାମକୁ ଯିବା ପାଇଁ ସେଠାରୁ ଚାଲି ଚାଲି ଆସି କିଛି ବାଟ ଅଟୋ ଏବଂ ପରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏଥି ସହିତ ଓଡ଼ିଶା ପ୍ରଶାସନ ଆମକୁ ଆମ ରାଜ୍ୟରେ ପହଂଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଝାଡ଼ଖଣ୍ଡର ବକାରୋ ଜିଲ୍ଲାର ପ୍ରବାସୀ ଶ୍ରମିକ ଗୌତମ ରାଜକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଯେଉଁ ପ୍ରବାସୀ ଶ୍ରମିକମାନେ ଜିଲ୍ଲା ଭିତରେ ପ୍ରବେଶ କରୁଛନ୍ତି ସେମାନଙ୍କୁ ସ୍ୱାଗତ ଜଣାଉଛୁ ବୋଲି ମୋଟୁ ତହସିଲଦାର ଶଶାଙ୍କ ମିଶ୍ର କହିଛନ୍ତି। ସେମାନଙ୍କୁ ଶୁୁଖିଲା ଖାଦ୍ୟ, ମାସ୍କ ଦିଆଯିବା ସହ ରେଜିଷ୍ଟ୍ରେସନ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଆମ ରାଜ୍ୟର ପ୍ରବାସୀଙ୍କ ସହ ଅନ୍ୟ ରାଜ୍ୟର ଶ୍ରମିକମାନେ କିଭଳି ନିଜ ରାଜ୍ୟକୁ ଯାଇପାରିବେ ସେଥିପାଇଁ ଜିଲ୍ଲାପାଳ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ପକ୍ଷରୁ ବାହାର ରାଜ୍ୟର ମୋଟ ୧୬୪ ଜଣ ଶ୍ରମିକଙ୍କୁ ମାଗଣାରେ ସେମାନଙ୍କ ସୀମାକୁ ପଠାଯାଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।