ଆସନ୍ତାକାଲିଠାରୁ ୩୦ ପର୍ଯ୍ୟନ୍ତ ଛତିଶଗଡ଼ ଯିବା ଉପରେ କଟକଣା

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଚଳିତମାସରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ବ୍ଲକ୍ ରେ ମାସ୍କ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ଖିଲାପ କରୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ମାଲକାନଗିରି ଜିଲ୍ଲାର ଚାଲାଣଗୁଡ଼ା, ଚିତ୍ରକୋଣ୍ଡା, ମୋଟୁ ଓ ପଡ଼ିଆଠାରେ ମାଲକାନଗିରି ଜିଲ୍ଲାକୁ ଆସୁଥିବା ଲୋକ ଓ ବିଭିନ୍ନ ହାଟରେ ର୍ଥମାଲ ଯାଞ୍ଚ ସହ ନମୂନା ସଂଗ୍ରହ କରି ଆଣ୍ଟିଜେନ ପରୀକ୍ଷା କରାଯାଉଛି।

ଆଜି ଖଇରପୁଟ ତହସିଲଦାର ରାମ କୃଷ୍ଣ ନାୟକ ବଣ୍ଡାଘାଟିରେ ସଚେତନତା କରି ବଣ୍ଡା ରମଣୀଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ଛତିଶଗଡ଼ ସୀମାନ୍ତ ପଡ଼ିଆ ବ୍ଲକର ଦୋର୍ଣ୍ଣାପାଲ ପୋଲ ନିକଟରେ ଯାଞ୍ଚ କରୁଥିବା ଦେଖାଯାଇଛି। ପୋଡ଼ଶୀ ଛତିଶଗଡ଼ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ଏପ୍ରିଲ ୧୨ ତାରିଖରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ଆସନ୍ତା ୧୨ ତାରିଖରୁ ଅନ୍ୟ ରାଜ୍ୟରୁ ବସ୍ କିମ୍ବା ବ୍ୟକ୍ତିଗତ ଗାଡ଼ିରେ ମାଲକାନଗିରି ଜିଲ୍ଲାକୁ ଆସିଲେ ତାଙ୍କୁ ଗତ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିି ପିସିଆର ରିପୋର୍ଟ କିମ୍ବା କୋଭିଡ-୧୯ ଟିକାର ୨ ଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ନଚେତ ୭ ଦିନ ପାଇଁ ଗୃହ ସଂଗରୋଧରେ ରହିବାକୁ ପଡ଼ିବ। ଏଥିପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ସମସ୍ତ ବସ୍ ଓ ବ୍ୟକ୍ତିଗତ ଗାଡ଼ି ଛତିଶଗଡ଼ ରାଜ୍ୟକୁ ଚଳପ୍ରଚଳ କରିବା ଉପରେ କଟକଣା ଲଗାଯାଇଛି। ଶିକ୍ଷା ସଂସ୍ଥା ଓ ବାଣିଜ୍ୟିକ ସଂସ୍ଥାନ କୋଭିଡ-୧୯ ନିୟମ ପାଳନ କରିବା ସହ ସେମାନେ ନିଜସ୍ୱ ସଂଗରୋଧର ସୁବିଧା ଯଥା- କୋଭିଡ ଯତ୍ନ କେନ୍ଦ୍ର ,କୋଭିଡ ଯତ୍ନ ଗୃହ କରିବା ଆବଶ୍ୟକ। ଯେଉଁଥିରେ କୋଭିଡ ସଂକ୍ରମିତଙ୍କୁ ରଖାଯାଇପାରିବ ଓ ଏହି ଖର୍ଚ୍ଚ ସଂପୃକ୍ତ ସଂସ୍ଥା ବହନ କରିବେ। ଜିଲ୍ଲାର ସରକାରୀ କାର୍ଯ୍ୟାଳୟକୁ ଅତି ଜରୂରୀ ନହେଲେ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଇ-ଅଭିଯୋଗ ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ବୈଠକଗୁଡ଼ିକୁ ବାରଣ କରାଯିବା ସହ ଅତି ଜରୂରୀ ହେଲେ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି ଓ ଭାର୍ଚୁଆଲ ମାଧ୍ୟମରେ କରିବାକୁ କୁହାଯାଇଛି। ବୈଠକରେ ୧୦ ଜଣଙ୍କଠାରୁ ଅଧିକ ବ୍ୟକ୍ତିଙ୍କ ଯୋଗଦାନକୁ ବାରଣ କରାଯାଇଛି। ବୈଠକକୁ ୩୦ ମିନିଟ୍ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ କବାଟ ଓ ଝରକା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।