ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର କାଙ୍ଗୁରୁକୋଣ୍ଡା ନିକଟସ୍ଥ ପୋଲ ଉପରେ ବନ୍ୟା ଜଳ ପ୍ରାୟ ୪ରୁ ୫ ଫୁଟ ପ୍ରବାହିତ ହେଉଥିବାବେଳେ ଏହି ଜଳରେ ଏକ ମିନି ଟ୍ରକ ଭାସିଯାଇ ପୋଲତଳକୁ ଖସିପଡ଼ିଛି । ଟ୍ରକର ଡ୍ରାଇଭର ଓ ହେଲପର ପହଁରି ପହଁରି ଜୀବନ ବଞ୍ଚାଇଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ଲଗାଣ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ନିକଟରେ ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ ସମୟ ଏକ ମାଲ ବୋଝେଇ ମିନି ଟ୍ରକ୍ ଅଟକି ରହିଥିଲା। ପରେ ଟ୍ରକର ଡ୍ରାଇଭର ଓ ହେଲପର
ବାଧ୍ୟହୋଇ ଏହି ପୋଲ ଉପର ଦେଇ ପ୍ରବାହିତ ବନ୍ୟା ଜଳକୁ ପାର କରି ଯିବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ଯାଉଥିବା ବେଳେ ପୋଲ ଉପରେ ଗଭୀର ଜଳସ୍ରୋତ ଯୋଗୁ ମିନି ଟ୍ରକଟି ପୋଲ ଉପରୁ ଭାସି ତଳକୁ ଖସିପଡ଼ିଥିଲା। ଭାଗ୍ୟବଶତଃ ଗାଡ଼ିର ଡ୍ରାଇଭର ଓ ହେଲପର ପହଁରି ପହଁରି ଆସି ନିକଟସ୍ଥ ଉଚ୍ଚ ସ୍ଥାନରେ ଥିବା ଏକ ମନ୍ଦିର ବାରଣ୍ଡାରେ ଆଶ୍ରୟ ନେଇଥିଲେ। ପରେ ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର କରି ପୋଟେରୁ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଛନ୍ତି।