ମାଲକାନଗିରି,ଏନ୍ଏନ୍ଏସ୍: ଗତକିଛିଦିନ ମଧ୍ୟରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବର୍ଷା ଲାଗିରହିଛି। ଫଳରେ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ବିଶେଷତଃ ଏଥିରେ ମାଲକାନଗିରି, ଢ଼େଙ୍କାନାଳରେ ଅନେକ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାବେଳେ ଜଳ ଘେରରେ ଲୋକେ ଫଶି ରହିଛନ୍ତି। ଆଜି ସକାଳେ ଶାବେରୀ ନଦୀର ବନ୍ୟା ପାଣି ପଡିଆ ପଞ୍ଚାୟତ ଅନ୍ତର୍ଗତ ବଜାଗୁଡା ଗ୍ରାମକୁ ମାଡ଼ି ଆସିବାରୁ ଏହି ଗ୍ରାମର ଦୁଲା ବାଡ଼ସୀ, ନନ୍ଦା ବାଡ଼ସୀ, ଗଙ୍ଗା ବାଡ଼ସୀ ଓ ପଦିଏ ବାଡ଼ସୀଙ୍କ ପରିବାର ଲୋକେ ଜଳ ଘେରରେ ରହିଯାଇଥିଲେ।
ସୂଚନା ପାଇ ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ତାଙ୍କ ଟିମ୍ ସହ ସେଠାରେ ପହଞ୍ଚି ସେମାନଙ୍କୁ ଜଳ ଘେରରୁ ଉଦ୍ଧାର କରିଥିଲେ। ଏଥିସହ ତେଲାମଗୁଡା ଓ ଏରବନପଲ୍ଲୀ ଅଞ୍ଚଳରେ ୮ ଟି ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅପରାହ୍ଣରେ ଗ୍ରାମବାସୀଙ୍କ ସହଯୋଗରେ ଏଗୁଡ଼ିକୁ ସଫା କରାଯାଇଛି। ଏହା ବ୍ୟତୀତ ପଡିଆ ବ୍ଲକ୍ ନିଲିଗୁଡା ରାଜସ୍ୱ ବିଭାଗ ଅଧୀନରେ ମୁରଲୀଧର ୱାନ୍ଜାମୀ, ଯୋଗୀ କାରାମ ଓ ଶୁକଦେବ କବାସୀ ସମେତ ୧୧ ଜଣ ଲୋକ ବାସ ହରାଇଛନ୍ତି।
ଏହାସହ ଶିମିଳିବାଞ୍ଛା ପଞ୍ଚାୟତରେ ୫ଟି, ଗିରିକାନପଲ୍ଲୀରେ ୪ ଟି ଓ ପଡିଆରେ ପ୍ରାୟ ୧୦ଟି ଘରକୁ ମିଶାଇ ପ୍ରାୟ ୪୦ ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ପଡ଼ିଥିବା ଜଣାପଡିଛି। ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟରେ ଆଜି ଗିରିକାନପଲ୍ଲୀ ପଞ୍ଚାୟତରେ କିଛି ଦାଦନ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ହୋଇ ରହିବାକୁ ପଞ୍ଚାୟତ ଅଧିକାରୀ ଏନ୍ ରୁଷି ରାଓ ଓ ପ୍ରେମାନ୍ସୁ ସରକାର କହିଛନ୍ତି।