ମାଲକାନଗିରିରେ ବର୍ଷାର ପରିମାଣ ହ୍ରାସ ପରେ ବନ୍ୟା ସ୍ଥିତିରେ ସୁଧାର: ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ହ୍ରାସ ହେବାପରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲ୍ଲାର କାଙ୍ଗୁରୁକୋଣ୍ଡା, ଏମଭି-୯୬, କାଲିମେଳା କନ୍ୟାଶ୍ରମ, ତାର୍ଲାକୋଟା, ଚାଲାଣଗୁଡ଼ା ପୋଲ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଫଳରେ ସମସ୍ତ ଅଞ୍ଚଳକୁ ଆଜି ଯାନବାହାନ ଚଳାଚଳ ଆରମ୍ଭ ହୋଇଛି। ତେବେ ବର୍ଷା ଯୋଗୁ କାଲିମେଳା ଓ ପଡ଼ିଆ ବ୍ଲକର ଶହ ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା କାଲିମେଳା ବ୍ଲକର ୧୧୩ଟି କଚାଘର ନଷ୍ଟ ହୋଇଥିବାବେଳେ ୧୫୪୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କାଲିମେଳା ବ୍ଲକର ସାବେରୀ ନଦୀ କୂଳିଆ ଗ୍ରାମ ବିନାୟକପୁର, ଆଲମା, ମୂରଲୀଗୁଡ଼ା, ବାରିବାଂଛା ଓ ପଡ଼ିଆ ବ୍ଲକର କମାରଗୁଡ଼ା, ସିିମିଳିବାଂଛା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ବ୍ଲକର ପ୍ରଭାବିତଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ବ୍ୟାକ ୱାଟର ପ୍ରଭାବରେ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ନିଷ୍କାସିତ ହୋଇପାରୁନଥିବାରୁ ମୁଗି ପଏଣ୍ଟ ଅଞ୍ଚଳ ଜଳ ଘେରରେ ରହିଛି। ମୁଗି ପଏଣ୍ଟରୁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ଜଳ ପଶି ରହିଥିବାବେଳେ ସେଠାକାର କିଛି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସାବେରୀ ନଦୀ କୁଳିଆ ଗ୍ରାମଗୁଡ଼ିକର ବହୁ ବାସଗୃହ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଗ୍ରାମ୍ୟ ରାସ୍ତା ମଧ୍ୟ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି କାଲିମେଳା ବ୍ଲକର ପେଟା, ଆଲମା, ମୂରଲୀଗୁଡ଼ା, ମୋଟୁସ୍ଥିତ ମୁଗି ପଏଣ୍ଟ ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବନ୍ୟା ଆଶ୍ରୟସ୍ଥଳୀ ସହ ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇଥିବାରୁ ସେଠାକୁ ଆସି ଧନଜୀବନ ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।