ଉଗ୍ରରୂପ ନେଲା ମାଲକାନଗିରି ଯନ୍ତାପାଇ ଘଟଣା, ୨ ପୁଲିସ ଆହାତ

ମାଲକାନଗିରି,ଏନ୍ଏନ୍ଏସ୍: ଗତକାଲି ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଘଟଣାରେ ଆଜି ଯନ୍ତାପାଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ଗ୍ରାମବାସୀ ଓ ପରିବାର ଲୋକେ ଥାନା ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ।

ତେବେ ଏହାର କୌଣସି ସମାଧାନ ହୋଇନଥିବାରୁ ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ଲୋକମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୨ପୁଲିସ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଶୁକ୍ରବାରଯନ୍ତାପାଇ ହାଟକୁ ରାଜୁ ତାଙ୍କ ଦୁଇ ଝିଅଙ୍କ ସହ ଯାଇଥିବାବେଳେ ସେଠାରେ ତାଙ୍କୁ ଦୁଇ ଯବାନ ଡାକି ନେଇଥିଲେ। ଏବଂ ତା’ପରେ ରାଜୁ ଘରକୁ ଫେରିନଥିଲେ। ତେବେ ରବିବାର ରାଜୁଙ୍କ ମୃତଦେହ ଏକ ଅଙ୍ଗନବାଡ଼ି ରୋଷେଇ ଘରୁ ମିଳିବାରୁ ପରିବାର ଲୋକେ ଯବାନମାନେ ତାଙ୍କ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ରାଜୁଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ଏ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଶବ ବ୍ୟବଚ୍ଛେଦ ପରେ ଏହାକୁ ଥାନା ସମ୍ମୁଖରେ ରଖି ଧାରଣା ଦେବା ସହ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।