ଓଲଟିଲା ମାଲେସିଆ ଜାହାଜ ‘ଜିନ ହ୍ୱା’ର କଣ୍ଟେନର

କୃଷ୍ଣପ୍ରସାଦ,୨୭ା୮/ଏନ୍ଏନ୍ଏସ୍: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ସନ୍ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜ ‘ଜିନ୍ ହ୍ୱା’ର କଣ୍ଟେନର ମଙ୍ଗଳବାର ଓଲଟି ପଡ଼ି ପାଣିରେ ବୁଡ଼ିଥିବା ଦେଖାଯାଇଛି । ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜାହାଜର ମରାମତି କରାଯାଇ ନଥିବାରୁ ଜୁଆର ମାଡ଼ରେ କଣ୍ଟେନରରେ ଫାଟ ସୃଷ୍ଟି ହୋଇଥିଲା । କ୍ରମଶଃ ଦୁର୍ବଳ ହୋଇ ଏବେ ପାଣି ଭିତରେ ଫସି ରହିଛି । କଣ୍ଟେନରରୁ ପାଣି ବାହାର କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳିନଥିବା ଜଣାପଡ଼ିଛି । ସେହିପରି କଣ୍ଟେନରକୁ ଭିଡ଼ି ରଖିଥିବା ଦଉଡ଼ି ମଧ୍ୟରୁ ଦୁଇଟି ଛିଣ୍ଡି ଯାଇଥିବାରୁ ଏବେ ତାହା କୂଳରୁ କିଛିଦୂରକୁ ଭାସିଯାଇ ପାଣିରେ ବୁଡ଼଼ିବାକୁ ଆରମ୍ଭ କରିଛି । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ କହିଛନ୍ତି ଯେ ଜାହାଜରୁ ତେଲ ନିଷ୍କାସନ ପାଇଁ ଏକ ଟିମ୍ ଆସିବ ଏବଂ ଦୁଇରୁ ତିନିଦିନ ମଧ୍ୟରେ ତେଲ ନିଷ୍କାସନ କରାଯିବ ।