ମହିଳା ପଞ୍ଚାୟତ ସମିତି ସଦସ୍ୟଙ୍କୁ ଜାତିଆଣ ଆକ୍ଷେପ ଓ ହତ୍ୟା ଧମକ ପରେ ମଳେହିପଡ଼ା ସମିତି ସଦସ୍ୟ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ରେ ମହିଳା ପଞ୍ଚାୟତ ସମତି ସଦସ୍ୟଙ୍କୁ ଜାତିଆଣ ଆକ୍ଷେପ ଓ ହତ୍ୟା ଧମକ ପରେ ମଳେହିପଡ଼ା ସମିତି ସଦସ୍ୟ ଗିରଫ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୨ ତାରିଖରେ ରିଆମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମିତି ବୈଠକ ସାରି ଫେରିବା ବାଟରେ ରିଆମାଳ ପଞ୍ଚାୟତ ସମିତି ସଦସ୍ୟା ତପସ୍ୱିନୀ କୁମୁରା ଓ ବୁଡ଼ିଦୋ ସରପଞ୍ଚ ଛବିରାଣୀ ସାହୁଙ୍କୁ ମଳେହିପଡ଼ା ସମିତି ସଦସ୍ୟ ମନସୁନ ସାହୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ ଦେବା ଓ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ କରାଇ ନଦେବାର ଚେତାବନୀ ଦେଇଥିଲେ । ଏନେଇ ଉଭୟ ପୀଡ଼ିତା ତପସ୍ୱିନୀ ଓ ଛବିରାଣୀ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ମଳେହିପଡ଼ା ସରପଞ୍ଚ ରୁନୁ ବେହେରା, ରିଆମାଳ ସରପଞ୍ଚ ବୀଣାପାଣି ନାୟକ, କୁଣ୍ଢେଇଗୋଲା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ପରା ସରପଞ୍ଚ ପପିନା ବିଶ୍ୱାଳ, ନାଉଲିପଡ଼ା ସରପଞ୍ଚ ଏଲିନା ସାହୁ, କୋଲହ୍ନବାସା ସରପଞ୍ଚ ସଂଗୀତା ସାହୁ ଓ ଗୁଣ୍ଡିଆପାଲି ସରପଞ୍ଚ ଶର୍ମିଷ୍ଠା ଘଡ଼େଇ ପ୍ରମୁଖ ଅଭିଯୁକ୍ତ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରିଆମାଳ ଥାନାରେ ବସି ରହିଥିଲେ । ମାମଲାର ଗମ୍ଭୀରତାକୁ ଦେଖି ରିଆମାଳ ଥାନା ପୁଲିସ ଅଭିଯୁକ୍ତ ସମିତି ସଦସ୍ୟ ମନସୁନ ବିରୁଦ୍ଧରେ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଫେରାର ମନସୁନକୁ ଗିରଫ ହୋଇଥିବାବେଳେ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।