ମାହାଙ୍ଗା ପଡ଼ିଲା ଜାତିଆଣ ମନ୍ତବ୍ୟ

ସୁନ୍ଦରଗଡ଼,ଏନ୍ଏନ୍ଏସ୍ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଜଣେ କିରାଣି ନିଲମ୍ବିତ ହୋଇଥିବା ଜଣାଯାଇଛି। ଏଥି ସହିତ ଅଧ୍ୟକ୍ଷଙ୍କ ଓ ଜଣେ ଅଧ୍ୟାପକ ସାମିଲ ଥିବା ଜଣାଯାଇଛି। ତେବେ କର୍ମଚାରୀ ଜଣଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ତିନି ଅଭିଯୁକ୍ତଙ୍କ ନାଁରେ ରାଜଗାଙ୍ଗପୁର ଥାନାରେ ଏତଲା ଦିଆଯାଇଥିବା ବେଳେ ଅଧ୍ୟାପକ ଓ କିରାଣିଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଘଟଣା ସମ୍ପର୍କରେ ଉକ୍ତ ମହିଳା କର୍ମଚାରୀ ପ୍ରଥମେ ଅଗଷ୍ଟ ୪ ତାରିଖରେ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଅନ୍‌ଲାଇନରେ ଅଭିଯୋଗ କରିଥିଲେ। ପରେ ଏସପି ଘଟଣାର ତଦନ୍ତ କରିବାକୁ ଏହି ଅଭିଯୋଗ ପତ୍ରକୁ କୁତ୍ରା ଥାନାକୁ ପଠାଇଥିଲେ। ହେଲେ ପୁଲିସ୍‌ କୌଣସିକାର୍ଯ୍ୟାନୁଷ୍ଠାନ ନନେବାରୁ ଗତ ୨୦ ତାରିଖରେ ରାଜଗାଙ୍ଗପୁର ଥାନାରେ ଉକ୍ତ ମହିଳା ଜଣଙ୍କ କଲେଜର ଅଧ୍ୟକ୍ଷ, ଜଣେ ଅଧ୍ୟାପକ ଓ ଜଣେ କିରାଣିଙ୍କ ନାମରେ ଏତଲା ଦେଇଥିଲେ। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ପରିପ୍ରେକ୍ଷୀରେ କିରାଣି ଜଣଙ୍କୁ ନିଲମ୍ବିତ କରାଯାଇଛି।