ଅମରେଶ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ ସହ ୩ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଘଟଣାର ୧୦ଦିନ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ସକ୍ଷମ ହୋଇଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ ସହ ପୁଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଆହୁରି ୧୦ରୁ ଅଧିକ ଫେରାର ଥିବା ଜଣାପଡିଛି। ପୁଲିସ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି। ତେବେ ଭାଇଗିରିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

ଡିସିପିଙ୍କ ସୂଚନା ଅନୁସାରେ, ଦିପାବଳୀ ଦିନ ରାତିରେ ଅମରେଶଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏପରିକି ତାଙ୍କୁ ମୁଣ୍ଡକୁ ପଥରରେ ଛେଚିବା ସହ ଗାଡି ଚଢାଇ ଦେଇଥିଲେ। ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିଲା। ହତ୍ୟାକାରୀମାନେ ଫେରାର ହୋଇଯିବାରୁ ସେମାନଙ୍କୁ ଧରିବା ଲାଗି ଅଭିଜ୍ଞ ଏସିପି ରବିନ୍ଦ୍ର ଶତପଥି, ସତ୍ୟଜିତ ମହାନ୍ତି ଓ ସଞ୍ଜୀବ ଶତପଥିଙ୍କ ନେତୃତ୍ୱରେ ୩ଟି ଟିମ ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଥିଲା।

ଭୁବନେଶ୍ୱର ସମେତ ଜିଲ୍ଲା ବାହାରେ ଡେରା ପକାଇ ଛାନଭିନ କରି ୩ଜଣଙ୍କୁ ଗିରଫ କରିଛି। ଏହି ଘଟଣେରେ ମୋଟ ୧୦ଜଣ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଦୁଇ ଗୋଷ୍ଠି ମଧ୍ୟରେ ବେଶ କିଛିଦିନ ହେଲା ବିବାଦ ଲାଗି ରହିଥିଲା। ଘଟଣାଦିନ ବାଣଫୁଟାକୁ ନେଇ ସୃଷ୍ଟି ବିବାଦ ହତ୍ୟାକାଣ୍ଡର ରୂପ ନେଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି।