ଅବକାରୀ ବିଭାଗର ଚଢ଼ଉ: ବିପୁଳ ପରିମାଣର ମହୁଲି ମଦ ଜବତ ଓ ୧୦ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଅବକାରୀ ନିରୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମହୁଲି ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ମହୁଲି ପୋଚ ନଷ୍ଟ କରାଯାଇ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଟାଙ୍ଗରରପଡ଼ା ଗ୍ରାମର ସୁନା ନାୟକ, କେନ୍ଦୁଆପଡ଼ା ଗ୍ରାମର ବ୍ରହ୍ମାନନ୍ଦ ମହାନ୍ତ, ନୂଆପଡ଼ା ଗ୍ରାମର କ୍ଷୀରୋଦ ମହାନ୍ତ ଓ ଗୌରୀଶଙ୍କର ମହାନ୍ତ, ଶଙ୍ଖୁଆ ଗ୍ରାମର ଦେଓଲା ଟୁଡୁ ଓ ପରେଶ କୁମାର ମାଝୀ, ଜାରକିନାଳି ଗ୍ରାମର ପାନ ମାଝୀ, ଚୁନୁ ସାହିର ଗଙ୍ଗା ମାଝୀ ଓ ବାଇଧର ମାଝୀ, କେନ୍ଦେଇପଶି ଗ୍ରାମର ଶରତ ସେଠୀ। ଶରତଙ୍କଠାରୁ ଏକ ଲୁନା ଗାଡ଼ି ମଧ୍ୟ ଜବତ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଇନ୍ସପେକ୍ଟର ନିମାଇଁ ଚରଣ ସିଂ ସୂଚନା ଦେଇଛନ୍ତି । ଏହି ଚଢ଼ଉରେ କେନ୍ଦୁଝର ସଦର ଅବକାରୀ ନିରୀକ୍ଷକ ନିମାଇଁ ଚରଣ ସିଂ, ପାଟଣା ଅବକାରୀ ଅଧୀକ୍ଷକ ଦିଲ୍ଲୀପ ତାଣ୍ଡି ଓ ମୋବାଇଲ ସ୍କ୍ୱାଡ୍ ନିରୀକ୍ଷକ ରୋହିତ କୁମାର ନାୟକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ।