ଅସହାୟ ମହିଳାଙ୍କୁ ସାହା ହେଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: କରୋନା ପୂର୍ବରୁ ମାହେଶ୍ୱରୀ ସଂଗଠନ ସେବା ଧର୍ମକୁ ପାଥେୟ କରି ଜନସେବାରେ ଲିପ୍ତ ରହିଛି। କରୋନା ମହାମାରୀ ପରବର୍ତ୍ତୀ ସମୟରେ ସଂଗଠନ ଉପରେ ସାମାଜିକ ଦାୟିତ୍ୱ ଆହୁରି ବଢି ବଢି ଚାଲିଛି। କେଉଁ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ପହଞ୍ଚାଇବା ହେଉ କି ରୋଗୀଙ୍କ ପାଖକୁ ଅକ୍ସିଜେନ ସିଲଣ୍ଡର ଓ ଡାକ୍ତରୀ ଉପକରଣ ପହଞ୍ଚାଇବା ଦାୟିତ୍ୱ ସଂଗଠନ ସେବା ଧର୍ମାନୁସାରେ ପାଳନ କରିଛି।

ମହାମାରୀ ସମୟରେ ସଂଘର ଏହି ମାନବ ସେବା ଅନେକ ଯୁବ ପିଢ଼ିକୁ ଉତ୍ସାହିତ କରିବା ସହ ସଂଗଠନ ବିଭିନ୍ନ ଅଞ୍ଚଳରେ କାୟା ବିସ୍ତାର କରିଛି। ସେହି କ୍ରମରେ ଟିଟିଲାଗଡ ଅଞ୍ଚଳର ୫୦ ବର୍ଷୀୟ ମହିଳା ଦଇତା ବିଭାର କର୍କଟ ରୋଗରେ ପୀଡ଼ିତ ହୋଇ ଦିନ ଗଣୁଥିବା ଖବର ପାଇଥିଲା ସଂଗଠନ। ସଂଗଠନର କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଟିଟିଲାଗଡ଼ ପହଞ୍ଚି ଦଇତାଙ୍କ ଚିକିତ୍ସା କରାଇବା ପରେ ତାଙ୍କୁ ରାଇପୁରକୁ ସ୍ଥାନାନ୍ତରିତ କରିଥିଲେ। ବାଲକୋ କର୍କଟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିବା ସହ ବିନା ମୂଲ୍ୟରେ ଚିକିତ୍ସା କରାଇବା ପାଇଁ ବନ୍ଦୋବସ୍ତ କରାଇଥିବା ସଂଗଠନ ସୂଚନା ଦେଇଛି। ଏହି ମହତ କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଂଯୋଜକ ପ୍ରତିଶ କୁମାର ମିଶ୍ର, ବାଲକୋର ଆସିଷ୍ଟାଣ୍ଟ ମ୍ୟାନେଜର ସତ୍ୟପ୍ରକାଶ ଆଚାର୍ଯ୍ୟ ତଥା ଓଏସଟିଏଫର ଜିଲ୍ଲା ସଂଯୋଜକ ସୁବ୍ରତ ସାହୁ ପ୍ରମୁଖ ସହଯୋଗ କରିଥିଲେ।