ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ହିଲୁଙ୍ଗ ଗ୍ରାମରେ ମା’ ମାହେଶ୍ବରୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ହେଉଥିବା ମାହେଶ୍ବରୀ ମହୋତ୍ସବର ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ଅଧ୍ୟାପକ ପବିତ୍ର ମୋହନ ମେଣ୍ଡିଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସାଂସ୍କୃତିକ ସଭାରେ ବରିଷ୍ଠ ଖବରଦାତା ଯୁଗଳ କିଶୋର ମିଶ୍ର, କିଶୋର ହୋତା, ପୀତାମ୍ବର ସାହୁ, ସତ୍ୟବ୍ରତ ପ୍ରଧାନ ଓ ନିଲକମଲ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମା’ ମାହେଶ୍ବରୀ ହେଉଛନ୍ତି ସ୍ତମ୍ବେଶ୍ବରୀ ଉପାସନାର ଆଦ୍ୟଦେବି ବୋଲି ମତ ରଖିଥିଲେ।
ତା’ସହ ଅତିଥି ମାନେ ନିଜ ବକ୍ତବ୍ୟରେ ବୀରମହାରାଜପୁରର ସଂସ୍କୃତି ଓ ପରମ୍ପରା ନିଆରା ବୋଲି ମତପ୍ରକାଶ କରିଥିଲେ। ମାହେଶ୍ବରୀ ସଂସ୍କୃତି ଉକ୍ତ ଅଞ୍ଚଳର ଶାନ୍ତି ମୈତ୍ରିର ପ୍ରତୀକ ବୋଲି କହିଥିଲେ। ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସମ୍ପାଦକ ଶେଷଦେବ ବାରିକ ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମାହାଶ୍ବରୀ ସେନାକୁ ତାଙ୍କର ସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସମସ୍ତ ସାମ୍ବାଦିକମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଜଗ ଓ ସାଥିଙ୍କ ଦ୍ବାରା ମ୍ୟାଜିକ ସୋ କରାଯାଇଥିଲା।