ଭୁବନେଶ୍ୱର : ଯାହା ଆଶା କରାଯାଉଥିଲା, ତାହା ହିଁ ହୋଇଛି । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏଥର ମଧ୍ୟ କୌଣସି କେଁ ଦେଖିବାକୁ ମିଳି ନାହିଁ । ଉପଯୁକ୍ତ ସମନ୍ଵୟ ଯୋଗୁଁ ରାତି ୯ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି । ଏହା ପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ବେଢ଼ା ପରିକ୍ରମା କରାଯାଇଥିଲା । ସେହିପରି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିଥିଲେ । ଏଥି ସହ ସମସ୍ତେ ମହାଦୀପକୁ ଅପେକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଭକ୍ତ ମୌନ ବ୍ରତ ରଖିଥିଲେ । ତେବେ ୧୫ ମିନିଟ୍ ପୂର୍ବରୁ ମହାଦୀପ ଉଠିଲା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ଏଭଳି ଏକ ପଦକ୍ଷେପକୁ ଅନେକ ଐତିହାସିକ ବୋଲି କହିଛନ୍ତି। ସମଗ୍ର ଏକାମ୍ର କ୍ଷେତ୍ର ଆଜି ଲୋକାରଣ୍ୟ ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲେ ହେଁ ଡେରି ହେବ ବୋଲି ଭକ୍ତମାନେ ଏକରକମ ଧରି ନେଇଥିଲେ । ମାତ୍ର ରାତି ୯ଟା ୪୫ ମିନିଟ୍ରେ ମହାଦୀପ ଉଠିଥିଲା । ମହାଦୀପ ଦର୍ଶନ ମାତ୍ରେ ହରିବୋଲ ହୁଳହୁଳିରେ ଉଚ୍ଛୁଳିଥିଲା ସମଗ୍ର ପରିବେଶ ।