ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷଯାତ୍ରା ଆରମ୍ଭ ହୋଇଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସଂପନ୍ନ ହେବା ନେଇ ଘୋଷଣା କରିଛନ୍ତି।
ଭୁବନେଶ୍ୱର ସରକାରୀ ବାସଭବନରୁ ତାଙ୍କର ପାର୍ଥିବ ଶରୀର ନିଆଯିବା ପରେ ବିଧାନସଭା ପରିସରରେ ମହାରାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ବିଧାନସଭା ପରେ ବିଜେଡ଼ି ପାର୍ଟି ଅଫିସକୁ ତାଙ୍କର ପାର୍ଥିବ ଶରୀର ନିଆଯାଇଥିଲା। ସେଠାରେ ନେତା, ମନ୍ତ୍ରୀ ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବର୍ତ୍ତମାନ ପିପିଲି ସ୍ଥିତ ପୈତୃକ ବାସଭବନରେ ପହଞ୍ଚିଛି ମରଶରୀର। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏନେଇ ସ୍ବର୍ଗ ଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ମହାରଥୀଙ୍କ ପରଲୋକ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମହାରଥୀଙ୍କ ବିୟୋଗ ରାଜ୍ୟ ରାଜନୀତିର ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।