ଆଜି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ, ଶ୍ରୀମନ୍ଦିରରେ ଚାଲିଛି ବିଭିନ୍ନ ନୀତିକାନ୍ତି

ପୁରୀ,ଏନ୍ଏନ୍ଏସ୍: ଆଜି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଏନେଇ ଶ୍ରୀମନ୍ଦିରରେ ଚାଲିଛି ବିଭିନ୍ନ ନୀତିକାନ୍ତି। ପାଟପଟୁଆରରେ ଶ୍ରୀମନ୍ଦିରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି। ଏହି ବେଶରେ ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେବେ ମହାପ୍ରଭୁ। ବୀର ନାଗା ବେଶରେ ସଜେଇ ହେବେ ଜଗାବଳିଆ। ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେବେ ମାଆ ସୁଭଦ୍ରା। ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପୁଛି ସିଂହଦ୍ୱାର। ବାଦ୍ୟ ଓ ନୃତ୍ୟ ସହ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଦୀର୍ଘ ୨୫ ବର୍ଷ ପରେ ଦୁର୍ଲ୍ଲଭ ବେଶ ହେଉଥିବା ବେଳେ କରୋନା ମହାମାରୀ ଯୋଗୁଁ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି।

ସେପଟେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ମଧ୍ୟରାତ୍ରିରୁ ଶ୍ରୀକ୍ଷେତ୍ରରେ କଟକଣା ଲାଗୁ ହୋଇଛି। ଶ୍ରୀମନ୍ଦିର ଚାରିପାଖେ ୧୪୪ ଧାରା ଜାରି ହୋଇଛି। ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ କଟକଣା ଲଗାଯାଇଛି। ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ କଟକଣା ପାଇଁ ଜାରି ରହିବ। ନାଗାର୍ଜୁନ ବେଶ ଓଲାଗି ଶେଷ ହେବା ପରେ ପତିତପାବନ ଦର୍ଶନ କରିପାରିବେ ଭକ୍ତ।