କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଞ୍ଜନ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ମୁଖ୍ୟବକ୍ତା ଭାବେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରବୀଣ କୁମାର କାନୁନଗୋ, ସମ୍ମାନିତ ବକ୍ତା ଭାବେ ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା, ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ ଯୋଗଦେଇ କଂଗ୍ରେସର ବହୁମୁଖୀ କାର୍ଯ୍ୟକ୍ରମ ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହିତ ବିଜେଡି ଓ ବିଜେପିର ଜନମାରଣ ନୀତି ବିରୋଧରେ କଠୋର ସମାଲୋଚନା କରିଥିଲେ।
ମାହାଙ୍ଗା ତଥା ସମସ୍ତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସରୋଜ ପରିଡା, ସେକ୍ ଅକ୍ତାରୁଲ ଇସଲାମ୍, ବ୍ଲକ କଂଗ୍ରେସ କମିଟି ସଭାପତି ଅଲେଖ ପ୍ରସାଦ ସ୍ୱାଇଁ, ଜୋନ୍ କଂଗ୍ରେସ ଉପଦେଷ୍ଟା ପ୍ରଦୀପ୍ତ ରାଉତରାୟ, ଚୈତନ୍ୟ ପାଣି, ରମାକାନ୍ତ ବରାଳ, ଦେବେନ୍ଦ୍ର ପରିଡା, ରବିନାରାୟଣ ଦାସ, ରବିନ୍ଦ୍ର ପରିଡା, ଉତ୍ସବ ପରିଡା, ଦିଲ୍ଲୀପ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ମନୋରଂଜନ ଖୁଣ୍ଟିଆ, ନିଶ୍ଚିନ୍ତକୋଇଲି ବ୍ଲକ ସଭାପତି ରମାକାନ୍ତ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଅପରାହ୍ନରେ କଂଗ୍ରେସର ଏକ ବିରାଟ ପଟୁଆର ମାହାଙ୍ଗା ଥାନା ଅଭିମୁଖେ ବାହାରିଥିଲା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣିଙ୍କ ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ଆସାମୀ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଥାନା ଘେରାଉ କରାଯାଇଥିଲା। ଏନେଇ ମାହାଙ୍ଗା ଥାନା ଅଧିକାରୀଙ୍କୁ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି ରଖି ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।