ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆସନ୍ତା ୬କୁ ଘୁଞ୍ଚିଲା

ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶା-ଛତିଶଗଡ ଭିତରେ ଦୀର୍ଘ ବର୍ଷ ଧରି ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଆଜି ଟ୍ରିବ୍ୟୁନାଲ କମନ୍ ଇନଫରମେସନ୍ ଫର୍ମାଟକୁ ଚୂଡାନ୍ତ କରିବା ସହିତ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତି ନେଇଥାନ୍ତେ। କିନ୍ତୁ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣିକୁ ପୁଣି ଫେବୃଆରୀ ୬କୁ ଘୁଞ୍ଚାଇ ଦେଇଥିବା ସୂଚନା ମିଳିଛି।

ଏଥିସହିତ ଟ୍ରିବ୍ୟୁନାଲ ଆସନ୍ତା ୨ ସପ୍ତାହ ମଧ୍ୟରେ କମନ୍ ଇନଫରମେସନ୍ ଫର୍ମାଟ ତିଆରି କରିବାକୁ ୨ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେବା ସହିତ ପୂର୍ବରୁ ମଗାଯାଇଥିବା ସବୁ ଡକ୍ୟୁମେଣ୍ଟ ଗୁଡିକୁ ଯଥା ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ଏପର୍ଯ୍ୟନ୍ତ ଦୁଇ ରାଜ୍ୟ ମହାନଦୀ ଜଳ ବିବାଦକୁ ନେଇ ଆପୋଷ ଆଲୋଚନା କରି ନାହାନ୍ତି। ଗତ ଶୁଣାଣି ସମୟରେ ଏକାଠି ବସି ଏହି ସମସ୍ୟାରେ ଦୁଇ ରାଜ୍ୟ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲଙ୍କ ପାଖରେ ସମ୍ମତି ଜଣାଇଥିଲେ। ମାତ୍ର ତାହା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇ ନାହିଁ, ଯାହା ଫଳରେ ଏହି ମାମଲା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୬ ତାରିଖରେ ହେବ ବୋଲି ସୂଚନା ମିଳିଛି।