କୋରୁକୋଣ୍ଡା,ଏନ୍ଏନ୍ଏସ୍: ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ। ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ସଦର ଗ୍ରାମରେ ଘଟିବା ଦ୍ୱାରା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ଆଜିକୁ ଦୀର୍ଘ ୧୨ ବର୍ଷ ପୂର୍ବେ ଏହି ଗ୍ରାମର ଉଆଳି ଅଧିକାରୀ(୬୦) ନାମକ ଜଣେ ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ଉପୁଜିବାରୁ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାର ପେନ୍ଦରୁତି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଠିକାଦାରଙ୍କ ନିକଟରେ ଶ୍ରମିକ ରୂପେ କାର୍ଯ୍ୟ କରି ନିଜ ଘରକୁ ଟଙ୍କା ପଠାଉଥିଲେ। ସବୁଦିନ ପରି ସେ ନିଜର କାର୍ଯ୍ୟ ସାରି ଗତ ୨୦ ତାରିଖରେ ମଧ୍ୟାହ୍ନ ଭୋଜନ ନିମନ୍ତେ କ୍ୟାମ୍ପକୁ ରେଳଧାରଣା ମଧ୍ୟ ଦେଇ ଫେରିବା ସମୟରେ ହଠାତ ପଛପଟୁ ତାଙ୍କୁ ଏକ ଟ୍ରେନ ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ତେବେ ମଧ୍ୟାହ୍ନ ଭୋଜନରେ ଉଆଳିଙ୍କର ବିଳମ୍ବ ହେବାରୁ ସହକର୍ମୀମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ରେଳଧାରଣା କଡ଼ରୁ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ି ରହିଥିବା ଦେଖିଥିଲେ। ତେବେ ଦୀର୍ଘ ୭ ଘଣ୍ଟା ଉଆଳିଙ୍କ ଶରୀର ପଡ଼ି ରହିବାରୁ ପେନ୍ଦରୁତି ରେଳ ବିଭାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ।
ଅନ୍ୟପଟେ ଉଆଳିଙ୍କ ମୃତ ଶରୀରକୁ ନିଜ ଗ୍ରାମକୁ ଆଣିବା ନିମନ୍ତେ ଆର୍ଥିକ ସମ୍ବଳ ନଥିବାରୁ ପରିବାର ଲୋକେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନିକଟରେ ପହଞ୍ଚିଥିଲେ। ଏହି ଖବର ଶୁଣିବା ପରେ ଏସଡିପିଓ ଦ୍ୱିବେଦୀ ତୁରନ୍ତ ସେହି ବିଶାଖା ଜିଲ୍ଲାର ଏସପିଙ୍କ ସହ ଯୋଗାଯୋଗ କରି ଉଆଳିଙ୍କ ମୃତ ଶରୀର କିପରି ନିଜ ଗ୍ରାମରେ ପହଞ୍ଚିବ ସେ ବ୍ୟବସ୍ଥା କରିଥିଲେ । ଏତଦବ୍ୟତୀତ ଠିକାଦାରଙ୍କ ସହ ଯୋଗାଯୋଗ କରି ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ମଧ୍ୟରାତ୍ରରେ ଉଆଳିଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତେବେ ଚିତ୍ରକୋଣ୍ଡା ଏସଡିପିଓଙ୍କର ଏଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ବହୁ ପ୍ରଶଂସା କରାଯାଇଛି।