ମଧୁସୂଦନ ପାର୍କ ଜଳମଗ୍ନ : ୫ ପରିବାରକୁ କରାଗଲା ସ୍ଥାନାନ୍ତର ଜିଲ୍ଲା By Nitidin Last updated Aug 17, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ଲଗାଣବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁସ୍ଥିତ ମୁଗି ପଏଣ୍ଟର ମଧୁସୂଦନ ପାର୍କ ଜଳମଗ୍ନ ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଗି ପଏଣ୍ଟ ପ୍ରାୟ ୨ ଫୁଟ ଜଳ ଘେରରେ ରହିଛି। ଏହି ଅଞ୍ଚଳର କିଛି ବାସଗୃହ ସହ ହୋଟେଲରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ୫ ଟି ପରିବାରକୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାର ପ୍ରାୟ ୩୪ ଟି ଗ୍ରାମ ପ୍ରଭାବିତ ହୋଇଥିବାବେଳେ ବାଲିଚର ମାଡ଼ି ଯାଇ ବହୁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକର କିଛି ବାସଗୃହ ନଷ୍ଟ ହୋଇଥିବା ଜଣାପଡ଼ିଛି। ଆଜି ଜିଲ୍ଲାର କାଙ୍ଗୁରୁକୋଣ୍ଡା, କାଲିମେଳା କନ୍ୟାଶ୍ରମ ନିକଟସ୍ଥ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିଠାରୁ ମୋଟୁ ଓ କାଲିମେଳା ଠାରୁ ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଜିଲ୍ଲାର କୁଡ଼ୁମୁଲୁଗୁମ୍ମା ଓ ବାଲିମେଳା ମୁଖ୍ୟ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗଛ କାଟି ରାସ୍ତାରୁ ହଟାଇଛନ୍ତି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତଗୁଡ଼ିକରେ ଶୁଖିଲା ଖାଦ୍ୟ ଓ ଅନ୍ୟ ରନ୍ଧନ ସାମଗ୍ରୀ ରଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ମାଲକାନଗିରି ବ୍ଲକରେ ୬୨.୪ ମିଲିମିଟର, ମାଥିଲିରେ ୫୨.୦ ମିଲିମିଟର, ଖଇରପୁଟ ବ୍ଲକରେ ୬୨.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୯୦.୦ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୧୦୩.୦ ମିଲିମିଟର, କାଲିମେଳା ବ୍ଲକରେ ୮୨.୦ ମିଲିମିଟର ଓ ପଡ଼ିଆ ବ୍ଲକରେ ୧୧୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଲୋକଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଳମ ଯିବାକୁ ଅସୁବିଧା ହେଉଛି। କାଙ୍ଗୁକୋଣ୍ଡା ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପାଇଁ ବହୁତ ଅସୁବିଧା ହେଉଛି ବୋଲି ଏମପିଭି-୮୨ ଗ୍ରାମର ଆଶିଷ ମାଲି ପ୍ରକାଶ କରିଛନ୍ତି। ମୋଟୁର ମୁଗି ପଏଣ୍ଟ ନିକଟରେ ୫ ରୁ ୬ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଯାହାଫଳରେ ୫ ଟି ପରିବାରକୁ ସ୍ଥାନାନ୍ତର କରିଛୁ। ଆଜି ପୁରୁଣା ମୋଟରୁ ଲୋକଙ୍କୁ ସତର୍କ କରି ଦିଆଯାଇଛି। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତରିତ କରାଯିବ ଓ ଶୁଖିଲା ଓ ରନ୍ଧନ ଖାଦ୍ୟ ପ୍ରଦାନ କରାଯିବ ବୋଲି ତହସିଲଦାର ଶଶାଙ୍କ ମିଶ୍ର କହିିଛନ୍ତି। Share