ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡର ଆରାଧ୍ୟ ଦେବୀ ମା’ ପାଟଣେଶ୍ୱରୀଙ୍କ ଶହଶହ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଏହି ଯାତ୍ରା ମୁଲାଷ୍ଟମି ଠାରୁ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଏ। ଅମାବାସ୍ୟା ତିଥିରେ ପାଟଣା ମହାରାଜାଙ୍କ ଶୈଲଶ୍ରୀ ପ୍ୟାଲେସରୁ ପାଟସିନ୍ଦୁର ଅଣାଯାଏ ଏବଂ ପାଟଣାଗଡ ରାଜ ଖମାର ସ୍ଥିତ ମାଁ ଦଶମତୀଙ୍କ ମନ୍ଦିରରେ ରଖାଯାଏ। ଅମାବାସ୍ୟା ଦିନ ସନ୍ଧ୍ୟାରେ ପୁଜକ ପାଇକ ମାନଙ୍କ ସହିତ ଦଶମତି ମନ୍ଦିରକୁ ଯାଇ ପାଟ ସିନ୍ଦୁର ଆଣିଥାନ୍ତି।
ଦେବୋତ୍ତର ବିଭାଗ ତରଫରୁ ଭାରପ୍ରାପ୍ତ ଉପଜିଲ୍ଲପାଲ ଡ. ପୁଷ୍ପାଞ୍ଜଳୀ ପଣ୍ଡା ମା’ଙ୍କ ମନ୍ଦିରକୁ ଯାଇ ସେଠାରେ ଉପସ୍ଥିତ ଥିବା ସେବାୟତ ଓ ପୁଜାରୀ ମାନଙ୍କୁ ପାଟବସ୍ତ୍ର ପ୍ରଦାନ କରିଥାନ୍ତି ପରେ ଉକ୍ତ ସିନ୍ଦୁରକୁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଓ ପରେ ପାଟଣେଶ୍ୱରୀଙ୍କ ମନ୍ଦିରରେ ଅର୍ପଣ କରିବା ପରେ ସମସ୍ତେ ବରୁଆ ଘରକୁ ଯାଇଥାନ୍ତି। ପୂର୍ବରୁ ନିଜ ଘରେ ଧ୍ୟାନରେ ବସିଥିବା ବରୁଆକୁ ସେବାୟତ ମାନେ ଗାଧୋଇ ସମଗ୍ର ଶରୀରରେ ଚନ୍ଦନ ଲଗାଇଥାନ୍ତି ଓ ମନ୍ଦିରକୁ ଆଣିଥାନ୍ତି। ପରେ ରାତ୍ରିରେ ଜଙ୍ଗଲକୁ ଯାଇଥାନ୍ତି ଜଙ୍ଗଲରେ ଥିବା ତିନୋଟି ସାହାଡା ବୃକ୍ଷ ମୁଳରେ ପୂଜା ଅର୍ଚ୍ଚନା ପରେ ଦେବୀ ଯନ୍ତ୍ର ଉପରେ ବରୁଆକୁ ବସାଇ ଦେବୀ ବାଦ୍ୟ ବଜାଯାଏ ପରେ ଦେବି ବରୁଆଙ୍କ ଦେହରେ ବିଜେ ହୋଇଥାନ୍ତି।
ଉକ୍ତ ସମୟରେ ଢୋଲ, ନିସାନ ଓ ସ୍ୱତନ୍ତ୍ର ଭାବରେ ନିର୍ମିତ ଏକ ତୁରି ସବ୍ଦରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥାଏ। ଏହି ପରମ୍ପରା କୁ ହିଁ ଝାର ବଏଲ କୁହାଯାଏ। ପରେ ନବମୀ ଦିନ ମା ପାଟଣେଶ୍ୱରୀ ଦେବୀଙ୍କ ଐତିହାସିକ “ବଏଲ ଯାତ୍ରା” ଅନୁଷ୍ଠିତ ହୋଇଥାଏ। ଗତ ବର୍ଷ କରୋନା କଟକଣା ଯୋଗୁଁ ଦେବୋତ୍ତର ବିଭାଗ ଗଣମାଧ୍ୟମ ପ୍ରତିନିଧି, ସହରର ବୁଦ୍ଧିଜୀବୀଙ୍କୁ ଡାକି ଜନସମାଗମ ରୋକିବା ପାଇଁ ବୈଠକ କରିଥିଲା। କିନ୍ତୁ ଚଳିତ ବର୍ଷ ଦେବୋତ୍ତର ବିଭାଗର ବୈଠକରେ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ, ସଚେତନ ନାଗରିକଙ୍କୁ ନ ଡାକି ବୈଠକ କରିଥିଲା।
ଚଳିତ ବର୍ଷ ମା’ଙ୍କ ଝାର ବଏଲ ଯାତ୍ରାରେ ପ୍ରବଳ ଭିଡ ଲାଗିରହିଥିଲା ଓ କୋଭିଡ କଟକଣାକୁ ଉଲ୍ଲଂଘନ କରି ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିଲେ। ଆଗାମୀ ନବମୀ ଦିନ ମା’ଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ପାଇ ପ୍ରଶାସନ ତରଫରୁ ବ୍ୟପକ ବ୍ୟବସ୍ଥା ସହ ସୁରୁଖୁରୁରେ ଯାତ୍ରା ସମାପନ ପାଇ ଜନସାଧାରଣ ଦାବି କରିଛନ୍ତିା