ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀଙ୍କ ପୀଠରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ

ବରଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଶନିବାର ମାଁଙ୍କ ପୀଠରେ ପଣ୍ଡିତ ଶିବଶଙ୍କର ଦାଶ, ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ। ଅଗଷ୍ଟ ୨୨ ତାରିଖ ନିଶାର୍ଦ୍ଧ ପରେ ସକାଳ ହେବା ପୂର୍ବରୁ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ। ଏହିଭଳି ଏକ ନିଆରା ପରମ୍ପରା ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ବହୁ ବର୍ଷଧରି ପାଳନ ହୋଇଆସୁଛି। ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ। ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ।

ସେହିପରି ଅଗଷ୍ଟ ୨୩ ତାରିଖ ରବିବାର ଭାଦ୍ରବ ଶୁକ୍ଲ ପଞ୍ଚମୀ ସିଂହ ୮ ଦିନ ତୁଳାଲଗ୍ନ ପୂର୍ବାହ୍ନ ୯ ଘଣ୍ଟା ୩୫ ମିନିଟରୁ ୧୦ ଘଟିକାରେ ମଧ୍ୟରେ ପ୍ରଶସ୍ତ ତୁଳା (ଚରୁ) ଲଗ୍ନେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ ଅଟେ ବୋଲି ଲଗ୍ନ ସ୍ଥିର ହୋଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମୀର ପ୍ରଧାନ, ପ୍ରଶାନ୍ତ ମହାପାତ୍ର, ଜଗଦୀଶ ନାଏକ, ଭରତ ମହାପାତ୍ର ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।