୫୦ କିଲୋ ସୁନାରେ ପୂଜା ପାଇବେ ମା’ କନକଦୂର୍ଗା

କୋଲକାତା: ପଶ୍ଚିମବଙ୍ଗର ସବୁଠୁ ବଡ଼ ପର୍ବ ଦୁର୍ଗା ପୂଜା ପାଇଁ ଚଳିତବର୍ଷ କୋଲକାତାରେ ମା’ ଦୁର୍ଗାଙ୍କର ଏକ ଆକର୍ଷଣୀୟ ପ୍ରତିମା ପ୍ରସ୍ତୁତ କରାଯାଉଛି। ଏହି ପ୍ରତିମାକୁ ତିଆରି କରିବା ଲାଗି ୫୦ କିଲୋ ସୁନାର ବ୍ୟବହାର କରାଯାଉଛି। ୧୩ ଫୁଟ ଉଚ୍ଚବିଶିଷ୍ଟ ଏହି ପ୍ରତିମାକୁ ତିଆରି କରିବା ଲାଗି ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ କୋଲକାତାସ୍ଥିତ ସନ୍ତୋଷ ମିତ୍ର ସ୍କୋୟାରରେ ଥିବା ମଣ୍ଡପରେ ସ୍ଥାପିତ କରାଯିବ।

କମ୍ୟୁନିଟି ଦୁର୍ଗା ପୂଜାର ଅଧ୍ୟକ୍ଷ ପ୍ରଦୀପ ଘୋଷ କହିଛନ୍ତି ଯେ, ଏହା ପୂର୍ବରୁ କୌଣସି ବି ବ୍ୟକ୍ତି ସୁନାରେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି କରିବା ବିଷୟରେ ଭାବିନଥିଲେ। ମା’ କନକଦୁର୍ଗାଙ୍କ ଏହି ମୂର୍ତ୍ତିକୁ ପାଦରୁ ମସ୍ତକ ପର୍ଯ୍ୟନ୍ତ ସୁନାରେ ତିଆରି କରାଯିବ। ବର୍ତ୍ତମାନ ୧୦ ଗ୍ରାମ୍ ସୁନାର ମୂଲ୍ୟ ୪୦ ହଜାର ଟଙ୍କା ଆଖପାଖରେ ପହଞ୍ଚିଥିବାବେଳେ ମା’ଙ୍କର ସୁବର୍ଣ୍ଣ ମୂର୍ତ୍ତି ତିଆରି କରିବାରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ପ୍ରତିମାକୁ ତିଆରି କରିବା ପାଇଁ ସୁନାରୀମାନେ ଆଗେଇ ଆସିଛନ୍ତି। ପୂଜା କମିଟି ପରିବର୍ତ୍ତେ ଏହାର ଖର୍ଚ୍ଚ ବଣିଆମାନେ ହିଁ ବହନ କରୁଛନ୍ତି।

ସେମାନେ ପ୍ରତିମା ତିଆରି କରିବାରେ ଆବଶ୍ୟକ ସୁନା ଉପଲବ୍ଧ କରୁଥିବାବେଳେ ମା’ଙ୍କ ବିସର୍ଜନ ପରେ ଏହି ସୁନା ଫେରସ୍ତ ନେଇଯିବେ। ସୁନାରୀଙ୍କ ସମେତ ଅନେକ ବଡ଼ବଡ଼ କମ୍ପାନୀ ମଧ୍ୟ ପ୍ରତିମା ତିଆରି କରିବା ଏବଂ ପୂଜା ମହୋତ୍ସବ ପାଇଁ ଅର୍ଥଦାନ କରିଛନ୍ତି। ଏହା ପୂର୍ବରୁ ୨୦୧୭ରେ ଏହି ଦୁର୍ଗାପୂଜା କମିଟି ମା’ଙ୍କ ମୂର୍ତ୍ତିକୁ ସୁନାର ଶାଢ଼ୀ ପିନ୍ଧାଇ ଚାନ୍ଦି ରଥ ଉପରେ ସ୍ଥାପିତ କରିଥିଲେ।