ଏଣିକି ହ୍ୱାଟ୍ସଆପରୁ କରିହେବ ରନ୍ଧନ ଗ୍ୟାସ୍ ବୁକିଂ

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ର ୭.୧୦ କୋଟି ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନୀ ଏକ ନୂତନ ସୁବିଧା ଆରମ୍ଭ କରିଛି, ଯାହାଦ୍ୱାରା ଗ୍ରାହକମାନେ ବର୍ତ୍ତମାନ ହ୍ୱାଟ୍ସଆପ୍ ଜରିଆରେ ରନ୍ଧନ ଗ୍ୟାସ୍ ବୁକ୍ କରିପାରିବେ। ବିପିସିଏଲ୍ ପକ୍ଷରୁ ବିବୃତିରେ କୁହାଯାଇଛି ଯେ, ବିପିସିଏଲର ଏଲ୍ପିଜି ବ୍ରାଣ୍ଡ୍ ଭାରତ ଗ୍ୟାସ୍ ଦେଶବ୍ୟାପୀ ଏହାର ଗ୍ରାହକମାନଙ୍କ ପାଇଁ ହ୍ୱାଟ୍ସଆପ୍ ଜରିଆରେ ରନ୍ଧନ ଗ୍ୟାସ୍ ବୁକିଂର ସୁବିଧା ଉପଲବ୍ଧ କରିଛି। କମ୍ପାନୀ ସିଲିଣ୍ଡର ବୁକ୍ କରିବା ଲାଗି ଏକ ନୂତନ ହ୍ୱାଟ୍ସଆପ୍ ବିଜନେସ୍ ଚ୍ୟାନେଲର ଶୁଭାରମ୍ଭ କରିଛି। ଏନେଇ ହ୍ୱାଟ୍ସଆପ୍ର ଏକ ସ୍ୱତନ୍ତ୍ର ନମ୍ବର ମଧ୍ୟ ଦିଆଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରୁ ଗ୍ୟାସ୍ ବୁକ୍ କରିପାରିବେ। ବିପିସିଏଲ୍ର ବିପଣନ ନିର୍ଦ୍ଦେଶକ ଅରୁଣ ସିଂହ କହିଛନ୍ତି ଯେ ହ୍ୱାଟ୍ସଆପ୍ ଜରିଆରେ ଏଲ୍ପିଜି ଗ୍ୟାସ୍ ବୁକ୍ କରିବାର ଏହି ବ୍ୟବସ୍ଥା ଦ୍ୱାରା ଗ୍ରାହକମାନେ ବେଶ୍ ଉପକୃତ ହେବେ। କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ଏଲ୍ପିଜିର ପ୍ରଭାରି ଟି. ପିଚାମ୍ବରମ୍ କହିଛନ୍ତି ଯେ ହ୍ୱାଟ୍ସଆପ୍ ଜରିଆରେ ବୁକିଂ କରିବା ପରେ ଗ୍ରାହକମାନଙ୍କୁ ବୁକିଂ ସମ୍ବନ୍ଧିତ ଏକ ମେସେଜ୍ ଆସିବ। ଏହାସହ ଏକ ଲିଙ୍କ୍ ମଧ୍ୟ ପ୍ରାପ୍ତ ହେବ। ଯାହାଦ୍ୱାରା ସେମାନେ ଡେବିଟ୍ ତଥା କ୍ରେଡିଟ୍ କାର୍ଡ, ୟୁପିଆଇ ଏବଂ ଆମାଜନ୍ ଭଳି ଅନ୍ୟ ପେମେଣ୍ଟ ଆପ୍ ଜରିଆରେ ଟଙ୍କା ପରିଶୋଧ କରିପାରିବେ।