ଲଘୁଚାପ ଘନିଭୂତ: ଓଡ଼ିଶାରେ ବର୍ଷା କମ୍‌ ରହିବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ ହୋଇଛି । ଗୁରୁବାର ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ । ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ସମ୍ଭାବନା ନେଇ ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲାଗୁଡିକ ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ମୁତାବକ ଗତକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ଆଜି ମଧ୍ୟାହ୍ନବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବିଶାଖାପାଟଣାଠାରୁ କିଛି ଦୂରରେ ରହିଥିଲା । ଏହା ଆଜି ଉପକୂଳ ନିକଟତର ହେବ ଏବଂ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବ । ୨୨ତାରିଖ ମଧ୍ୟାହ୍ନବେଳକୁ ଅବପାତରେ ପରିଣତ ହେଇ ପଲାସା ଓ ଗୋପାଳପୁରଠାରୁ ଦୂରରେ ରହିବ ।

୨୪ ଘଣ୍ଟାରେ ଓଡ଼ିଶା ଉପକୂଳ ଅତିକ୍ରମ କରି ୨୩ ତାରିଖ ମଧ୍ୟାହ୍ନବେଳକୁ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲିଠାରୁ ଦୂରରେ ରହିବ । ୨୩ ତାରିଖ ମଧ୍ୟାହ୍ନବେଳକୁ ପଶ୍ଚିମବଙ୍ଗ/ବାଂଲାଦେଶର ସାଗରଦ୍ୱୀପ ଅତିକ୍ରମ କଲାପରେ ଦୁର୍ବଳ ହୋଇ ବାଂଲାଦେଶ ସ୍ଥଳଭାଗକୁ ଯିବାର ସମ୍ଭାବନା ରହିଛି । ୨୧ରୁ ୨୩ ତାରିଖ ଭିତରେ ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲା(ସ୍ୱଳ୍ପରୁ ମଧ୍ୟମ)ସହିତ ଗଜପତି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ହାଲୁକାରୁ ସ୍ୱଳ୍ପଧରଣର ବର୍ଷା ହୋଇପାରେ ।୨୩ ତାରିଖରେ ସବୁଠାରୁ ଅଧିକ ବର୍ଷା ହୋଇପାରେ । ସମୁଦ୍ର ସଂଲଗ୍ନ ଅଞ୍ଚଳରେ, ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଅପେକ୍ଷାକୃତ ଅଧିକ ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ ।

୨୪ ଓ ୨୫ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ/ଆଂଶିକ ମେଘୁଆ ରହିବାବେଳେ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକାରୁ ସ୍ୱଳ୍ପ ଏବଂ ବାଲେଶ୍ୱର ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।