ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ୬ରେ ଅବପାତ ରୂପ ନେବ

ଭୁବନେଶ୍ୱର,ଏନ୍ଏନ୍ଏସ୍:ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଧୀରେ ଧୀରେ ଏହା ଅବପାତର ରୁପ ନେବା ସହ ପୁର୍ବ ଉପକୂଳ ଆଡକୁ ମୁହାଁଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୁଚନା ଦେଇଛି । ତେବେ ଏହି ଲଘୁଚାପ ଯୋଗୁଁ ବାତ୍ୟା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି, ସେଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ନଭେମ୍ବର ୭ତାରିଖ ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପାଣିପାଗ ବିଭାଗର ନିର୍ଦେଶକ ଏଚ୍ ଆର ବିଶ୍ୱାସ ସୂଚନା ଦେଇଛନ୍ତି।

ସେହିପରି ଯଦି ଅବପାତ ଅଧିକ ସକ୍ରିୟ ହୁଏ। ତାହେଲେ ଏହା ବାତ୍ୟାର ରୂପ ନେଇପାରେ। ଏହାସହିତ ଆରବ ସାଗରରେ ଥିବା ମହା ଦୁର୍ବଳ ହେବ ପରେ ତାହା ଜଣା ପଡ଼ିବ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଲଘୁଚାପ ଯଦି ବାତ୍ୟାର ରୂପ ନିଏ ତାହେଲେ ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ କେନ୍ଦ୍ରାପଡା ଜିଲ୍ଲାରେ ମାଡ ହେବ ବୋଲି ଇଣ୍ଡିଆନ୍‌ ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଇନଫର୍ମେସନ୍‌ ସର୍ଭିସେସ୍‌ (ଇନକୋଇସ୍‌) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ୧୯୯୯ ମସିହାର ହୋଇଥିବା ମହାବାତ୍ୟା ଆଣ୍ଡାମାନର ଏହି ଅଞ୍ଚଳରୁ ସୃଷ୍ଟି ହୋଇଥିଲା। ଏନେଇ ବି ଆଶଙ୍କା ପ୍ରକାଶ ପାଇଛି। ସେହିପରି ଆଉ ୨ଦିନ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର ସୂଚନା ଦେଇଛନ୍ତି।

ଲଘୁଚାପଟି ୫ତାରିଖ ବେଳକୁ ଅବପାତ ରୁପ ନେବ। ୬ ତାରିଖ ବେଳକୁ ଗଭୀର ଅବପାତ ରୁପ ନେବା ସହିତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୮ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ। ତେବେ ଉପକୂଳ ଆଡକୁ ପହଞ୍ଚିବା ବେଳକୁ ସମୁଦ୍ର ର ପ୍ରତିକୂଳ ପରିସ୍ଥିତି ଯୋଗୁ ପବନର ବେଗ କମିବା ସହିତ ଦୁର୍ବଳ ହେବର୍ ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ୯ରୁ ରାଜ୍ୟରେ ପାଗ ବଦଳିବ। ୧୦ ଓ ୧୧ ତାରିଖରେ ଜଗତସିଂହପୁରରୁ ବାଲେଶ୍ୱର ମଧ୍ୟେରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶା ଆଡକୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
-ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ପାଣିପାଗ ବିଶେଷଜ୍ଞ