ପ୍ରେମରେ କଳଙ୍କ : ପ୍ରେମିକର ତଂଟି କାଟିଲେ ପ୍ରେମିକାର ପରିବାର

ଖୋର୍ଦ୍ଧା/ଜଟଣୀ, ଏନ୍ଏନ୍ଏସ୍ : ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ସକିଲ ଖାନ୍ ଉକ୍ତ ଥାନା ତରାବୋଇ ଅଂଚଳର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ ଏହି ଘଟଣାକୁ ନେଇ ମଙ୍ଗଳବାର ପ୍ରେମିକାର ପରିବାର ଲୋକ ସକିଲର ତଂଟି କାଟିଦେଇଥିବାନେଇ ତାଙ୍କ ବାପା ଅନସୁଦ୍ଦିନ ଖାନ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ଜଣାଯାଇଛି, ବେଣାପଞ୍ଜରୀ ଗ୍ରାମର ସକିଲ ତରାବୋଇ ଅଂଚଳର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ। ତେବେ ଯୁବତୀଙ୍କ ପରିବାର ପକ୍ଷରୁ ଏହା ଜାଣିବା ପରେ ପରିବାରର ସଦସ୍ୟମାନେ ମଙ୍ଗଳବାର ଏ ସମ୍ପର୍କରେ ଆଲୋଚନା କରିବା ଲାଗି ସକିଲକୁ ଖୋର୍ଦ୍ଧା ଡ଼ାକିଥିଲେ। ସକିଲ ପରିବାର ଲୋକଙ୍କୁ ନେଇ ବାହାରିଥିବାବେଳେ ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ବଣିଆଟାଙ୍ଗି ଅଂଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଦିନ ପ୍ରାୟ ସାଢ଼େ ଗୋଟେ ସମୟରେ ଉଭୟ ପକ୍ଷର ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ କୌଣସି କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଉକ୍ତ ସ୍ଥାନରେ କଥା କଟାକଟି ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ଝିଅଘର ପକ୍ଷର ଲୋକ ସକିଲର ଗଳା କାଟି ଦେଇଥିବା ନେଇ ସକିଲର ବାପା ଅନସୁଦ୍ଦିନ ଖାନ ଥାନାରେ ଅଭିଯୋଗ କରିଛନ୍ତି । ସକିଲଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାଯାଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ମା’ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ସକିଲ ତାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା । ଏଥିସହିତ ଝିଅର ଅଶ୍ଳୀଳ ଫଟୋକୁ ମୋବାଇଲରେ ରଖି ତାଙ୍କ ଝିଅକୁ ବ୍ଲାକମେଲିଂ କରୁଥିଲା। ଏଥିପାଇଁ ମଙ୍ଗଳବାର ସକିଲକୁ ଡାକି ମୋବାଇଲରୁ ଫଟୋ କାଟିବାକୁ ଝିଅର ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା । ମାତ୍ର ଏଥିରେ ସକିଲ ରାଜି ନହୋଇ ସେଠାରୁ ପଳାଇଥିଲା । ତେବେ ତାର ତଂଟି କାଟିବା ଘଟଣାକୁ ଝିଅର ମା’ ଅଭିଯୋଗ ପତ୍ରରେ ଖଣ୍ଡନ କରିଥିବାବେଳେ ସକିଲ ବାଟରେ କେଉଁଠିରେ ଏଭଳି ହୋଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତେବେ ଏ ସମ୍ପର୍କରେ ଜଟଣୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁଙ୍କ କହିବା କଥା ଦୁଇପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି।