ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଯୁବକଙ୍କ ଘର ଆଗରେ ଶିଶୁକନ୍ୟା ସହ ଯୁବତୀଙ୍କ ଧାରଣା

ଢେଙ୍କାନାଳ : କରୋନା ମହାମାରୀକୁ ନେଇ ସବୁଆଡ଼େ ସଙ୍କଟ ଲାଗିରହିଥିବା ବେଳେ ମହାବୀରୋଡ ଫାଣ୍ଡି ଅନ୍ତର୍ଗତ ଝିଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକଙ୍କ ଘର ସମ୍ମୁଖରେ ୨ମାସର ଶିଶୁକନ୍ୟାକୁ ଧରି ଜଣେ ଯୁବତୀ ଧାରଣାରେ ବସିଛନ୍ତି। ସ୍ତ୍ରୀର ମର୍ଯ୍ୟାଦା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଯୁବତୀ ଜିଦରେ ଥିବାବେଳେ ସମ୍ପୃକ୍ତ ଯୁବକଙ୍କ ପରିବାର ଘରେ ତାଲାପକାଇ ଫେରାର୍ ହୋଇଯାଇଥି ଜଣାପଡ଼ିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଝିଲ୍ଲୀ ଗ୍ରାମର ମାନସ ବେହେରା ତାଙ୍କୁ ୭ବର୍ଷ ଧରି ପ୍ରେମ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ମାତ୍ର ପ୍ରତାରଣାକାରୀ ଯୁବକ ଲୁଚାଛପାରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିବା ଯୁବତୀ ଜଣଙ୍କ ଜାଣିବା ପରେ ମାନସ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହେବାପରେ ମାନସ ତାଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ। ଏ ନେଇ ଯୁବତୀ ଜଣଙ୍କ ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିିସ କୌଣସି ନ୍ୟାୟ ନଦେବାରୁ ପତ୍ନୀର ମର୍ଯ୍ୟାଦା ପାଇବା ଦାବିରେ ମାନସଙ୍କ ଘର ସମ୍ମୁଖରେ ଶିଶୁକନ୍ୟାକୁ ଧରି ଧାରଣାରେ ବସିଥିବା ଜଣାପଡିଛି।