ବୁର୍ଲା ଥାନାଞ୍ଚଳରେ ବିପୁଳ କଫ୍‌ ସିରପ୍‌ ଜବତ, ୨ ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଥାନା ଅଞ୍ଚଳର ବିଭିନ୍ନ ଅଞ୍ଚଳରୁ ବିପୁଳ ମାତ୍ରାରେ କଫ୍‌ ସିରପ୍‌ ଜବତ କରିଛି ପୁଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ଗୋଳଗୁଣ୍ଡା ଗାଁର ସୁରେଶ ଜେକବ ଓ ୧ଜ କଲୋନୀର ରାଜେଶ ପଞ୍ଚବିହାର ବୋଲି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିବ।

୨ ଅଭିଯୁକ୍ତଙ୍କ ନିକଟରୁ ୫୦୦ ବୋତଲ କଫ୍‌ ସିରପ୍‌, ୨ ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ସ୍କୁଟି ଜବତ କରିଛି ପୁଲିସ। ପାର୍ବଣ ଋତୁ ଜାରି ରହିଥିବାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଲିସ ନିଶା କାରବାର ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରିଛି। ବାରମ୍ବାର ଅଭିଯୁକ୍ତମାନେ ଗିରଫ ହେଲେ ସୁଦ୍ଧା ଜିଲ୍ଲାରେ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁନି। ଯାହା ସଚେତନ ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରଖିଛି ପୁଲିସ।