ଲୁଟିବା ପାଇଁ ଫ୍ଲିପକାର୍ଟରୁ ମଗାଯାଇଥିଲା ପେପର ସ୍ପ୍ରେ, ୬ ଲକ୍ଷ ଟଙ୍କା ସହ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,ଏନଏନଏସ:ବଲାଙ୍ଗୀର ସହର ରାଧାରାଣୀ ପଡାରୁ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି। ଲୁଟ ଘଟଣାରେ ସାମିଲ ଥିବା ଅଭିଯୋଗରରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୬ ଲକ୍ଷ ୫୦ ହଜାର ଟଙ୍କା , ଗୋଟିଏ ଦେଶୀ ପିସ୍ତଲ, ୨ଟି ମୋଟରସାଇକଲ ଓ ୩ଟି ଫୋନ ଜବତ କରିଛି ବୋଲି ବଲାଙ୍ଗୀର ଏସପି ଏମ.ସନ୍ଦୀପ ସମ୍ପତ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପୁଲିସର ସୂଚନା ଅନୁଯାୟୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯୋଜନାବଦ୍ଧ ଭାବରେ ଏମାନେ ଲୁଟ କରିଥିଲେ । ଲୁଟରେ ପେପର ସ୍ପ୍ରେ ବ୍ୟବହାର କରିବା ପାଇଁ ସମୀର ପ୍ଲିପକାର୍ଟରୁ ଏକ ପେପର ସ୍ପ୍ରେ ମଗାଇଥିଲା । ଅଭିଷେକ , ସାହିଲ ଓ ପପ୍ପୁ ଏକ କଲା ମୋଟର ସାଇକଲରେ ଆସି ଲୁଟ କରିଥିବା ବେଳେ ସମୀର ଲୁଟ ଘଟଣାର ଯୋଜନା କରିଥିଲା ଓ ପେପର ସ୍ପ୍ରେ ଯୋଗାଇ ଥିଲା ।

ସେହିପରି ରାଜୁ ଓ ଆକାଶ ଲୁଟ ସମୟରେ ଘଟଣାସ୍ଥଳରେ ରହି ସମସ୍ତ ପ୍ରକାର ସୂଚନା ପ୍ରଦାନ କରୁଥିଲେ । ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ସମୟରେ ଏମାନଙ୍କର ସମ୍ପୃକ୍ତି ଥିବା ନେଇ ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନଙ୍କୁ ଏକ ପୁଲିସ ଟିମ ଗିରଫ କରିବାକୁ ଯାଇଥିବା ବେଳେ ଅଭିଷେକ ସେମାନଙ୍କ ଉପରକୁ ଏକ ଦେଶୀ ବନ୍ଧୁକରୁ ଗୋଟାଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ତେବେ ପୁଲିସ ଟିମ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ବୋଲି ଏସପି ସମ୍ପତ କହିଛନ୍ତି । ପ୍ରଥମ ଥର ପାଇଁ ଏକ ଲୁଟ ଘଟଣାରେ ଲୁଟ ହୋଇଥିବ ଶତ ପ୍ରତିଶତ ଟଙ୍କା ଜବତ ହୋଇଥିବା କୁହାଯାଉଛି ।