ରାସାୟନିକ ସ୍ପ୍ରେ ମାରି ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା

ଅନୁଗୁଳ, ବଅଁରପାଳ,ଏନ୍ଏନ୍ଏସ୍: ନାଲକୋନଗର ଥାନା ଅଞ୍ଚଳ ଗିରାଙ୍ଗ ଗ୍ରାମରେ ଏକ ବଡ଼ଧରଣର ଲୁଟ ହୋଇଛି। ବିଳମ୍ବିତ ରାତିରେ ଘରେ ଚୋର ପଶି ୧୦ ଲକ୍ଷ ଟଙ୍କା ସମେତ ୫୦ ଭରି ସୁନା ଗହଣା ଲୁଟ କରିନେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗିରାଙ୍ଗ ଗ୍ରାମର ବିକ୍ରମ ସାହୁ ନାଲକୋରେ ଠିକା କର୍ମଚାରୀ ଭାବେ କାମ କରନ୍ତି। ବୁଧବାର ରାତି ଡ୍ୟୁଟି ଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ତାଙ୍କ ଭଉଣୀ ଶୋଇଥିଲେ। ରାତିରେ ଚୋର ଘର ପଛ ପାଖ ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। ଦୁଇ ଭଉଣୀ ଶୋଇଥିବା ରୁମକୁ ବାହାରୁ ବନ୍ଦ କରି ଚୋର ଅନ୍ୟ ରୁମରୁ ସମସ୍ତ ଆଲମିରା ଭାଙ୍ଗି ସେଥିରେ ଥିବା ୧୦ ଲକ୍ଷ ଟଙ୍କା ସମେତ ୫୦ ଭରି ସୁନା ଲୁଟ୍ କରିଥିଲେ। ତେବେ ଚୋରମାନେ ଚୋରି କରିବା ବେଳେ ଶବ୍ଦ ଶୁଣି ଦୁଇ ଭଉଣୀଙ୍କ ନିଦଭାଙ୍ଗି ଯାଇଥିଲା। ସେ କବାଟ ଖୋଲିବାକୁ ଚେଷ୍ଟା କରିବା ବେଳେ ବାହାରୁ ବନ୍ଦ ଥିବା ଜାଣି କବାଟ ଭାଙ୍ଗି ବାହାରିବା ବେଳକୁ ୪ ଜଣ ଚୋର ଥିବା ଦେଖି ଏକ ପନିକି ଧରି ସେମାନଙ୍କୁ ଗୋଡ଼ାଇ ଥିଲେ। ସେହି ସମୟରେ ଚୋରମାନେ ତାଙ୍କ ଉପରକୁ ରାସାୟନିକ ସ୍ପ୍ରେ ମାରି ଫେରାର ହୋଇଯାଇଥିଲେ। ପରେ ଚେତା ଆସିବା ପରେ ପାଖ ପଡ଼ୋଶୀଙ୍କୁ ଡାକିବା ସହ ପୁଲିସକୁ ସୂଚନା ଦେଇଥିଲେ। ନାଲକୋ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।