ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀ ଠାରୁ ଲୁଟ ଘଟଣାର ପର୍ଦାଫାସ କରିଛି ଦେଓଗାଁ ପୁଲିସ। ୪ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ବାଇକ, ଗୋଟିଏ ଲାପଟପ୍, କ୍ୟାମେରା, ୫ଟି ମୋବାଇଲ ସହ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଜବତ କରି ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ଦେଓଗାଁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ଓ ଦେଓଗାଁ ଆଇଆଇସି ବାମଦେବ ସଂଖୁଆଲ।
ପ୍ରକାଶ ଥାଉ କି ଗତ ୪ ଦିନ ହେଲା ଦେଓଗାଁ ଥାନାର ଭୁତିଆର ବାହାଲ-କୁଡ଼ାସିଂହା ରାସ୍ତାରେ ସ୍ପଂନ୍ଦନା ଫାଇନାନ୍ସ କମ୍ପାନୀର ମ୍ୟାନେଜର ମଗସିର କଲେଟ ତାଙ୍କ କର୍ମଚାରୀଙ୍କ ଠାରୁ ସଂଗ୍ରହ ହୋଇଥିବା ୨ ଲକ୍ଷ ୩୫ ହଜାର ଟଙ୍କା ଧରି ଆସିବାପରେ ଲୁଟର ଶିକାର ହୋଇଥିଲେ। ଏଥିରେ ଫାଇନାନ୍ସ କମ୍ପାନୀର ରମେଶ କୁମ୍ଭାର, ସୁଶାନ୍ତ ମଲ୍ଲିକ ମାଷ୍ଟର ମାଇଣ୍ଡ ଥିଲେ ବୋଲି ପୁଲିସ ସୂଚନା ଦେଇଛି।
ଏହି ଦୁଇ କର୍ମଚାରୀଙ୍କ ସହ ଦେଓଗାଁ ଥାନା ବିଲାସପୁର ଗାଁ’ର ଜିତେନ୍ଦ୍ର ଖାଡ଼ିଆ, ସିଦ୍ଧେଶ୍ୱର ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।