ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ଲଳିତନଗରରେ ଲୁଟର ଶିକାର ହୋଇଥିବା ଜଣେ ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ କାନ ଛିଣ୍ଡିଯାଇଛି। ଉକ୍ତ ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବାବେଳେ ୪ଜଣ ଫେରାର ଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଦାମ ବରାଡ଼ ନାମକ ଜଣେ ଯୁବକ ଆଜି ସକାଳୁ ଗାଇ ଚରାଇବାକୁ ଯାଇଥିଲେ। ଏହି ସମୟରେ ୫ଜଣ ଅସାମାଜିକ ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଟଙ୍କା ମାଗିଥିଲେ। ଦାମଙ୍କଠାରୁ ଟଙ୍କା ନପାଇବାରୁ ନିର୍ଘାତ ମାଡ଼ ମାରିଥିଲେ । ବିଶେଷ ଆଘାତ ଲାଗିଥିବା ସତ୍ୱେ ଏହି ଆକ୍ରମଣରେ ଦାମ ଜଣକୁ କାବୁ କରି ନେଇ ଲଳିତନଗରକୁ ଟାଣି ଟାଣି ଆଣିଥିଲେ । ପରେ ଲଳିତନଗରବାସୀ ଉକ୍ତ ଯୁବକଙ୍କୁ ପୁଲିସର ଜିମା ଦେଇଥିଲେ । ଉକ୍ତ ଯୁବକ ଜଣକ ବିଜାଖମନର ଜିତୁ ବାଗ (୧୮) । ତେବେ ଏହି ଘଟଣା ସମ୍ପର୍କରେ ଦାମ ଆଦର୍ଶ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।