କାନାରା ବ୍ୟାଙ୍କରୁ ଡକାୟତି, ୨ କର୍ମଚାରୀ ଆହତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସଦର ଥାନା ହାଣ୍ଡିଭଙ୍ଗା ଠାରେ ଥିବା କାନାରା ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଅପରାହ୍ଣ ୩ ଟାରେ ବଡଧରଣର ବ୍ୟାଙ୍କ ଡକାୟତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ୩ଟି କଳା ପଲସରରେ ୬ ଜଣ ଡକାୟତ ହାତରେ ପିସ୍ତଲ ଓ ଭୁଜାଲି ଧରି ହାଣ୍ଡିଭଙ୍ଗା କାନାରା ବ୍ୟାଙ୍କ ଶାଖାକୁ ଆସିଥିଲେ । ସେଠାରେ ଅସ୍ତ୍ର ଦେଖାଇ ବ୍ୟାଂକ କର୍ମଚାରୀ ଓ ଗ୍ରାହକମାନକୁ ବ୍ୟାଙ୍କରେ ଅଟକ ରଖିଥିଲେ। ପରେ ବ୍ୟାଙ୍କର ଶାଖା ପରିଚାଳକ ଗଜେନ୍ଦ୍ର ପାତ୍ର ଓ ପିଅନ ସଞ୍ଜୟ ସରଦାରଙ୍କୁ ଆକ୍ରମଣ କରିଥିଲେ ।

ସେଠାରେ ଉପସ୍ଥିତ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ବ୍ୟାଙ୍କରେ ଅଟକ ରଖିଥିଲେ । ପରେ ପିସ୍ତଲ ଓ ଭୁଜାଲିରେ ଭୟଭୀତ କରି ବ୍ୟାଙ୍କ ଲକରରେ ଥିବା ୩.୨୫ ଲକ୍ଷ ଟଙ୍କା ଓ ମଗଳବାର କାରବାର ହୋଇଥିବା ଲକ୍ଷାଧିକ ଟଙ୍କାକୁ ଝୁମ୍ପୁରା ଆଡକୁ ପଳାଇଥିବା ଜଣାପଡିଛି ।ସଦର ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିବା ସୂଚନା ମିଳିଛି । ଏହି ଘଟଣାଟି ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।