ଖଲ୍ଲିକୋଟ,ଏନ୍ଏନ୍ଏସ୍: ଚଳନ୍ତା ଟ୍ରେନରେ ଲୁଟ୍। ମୋବାଇଲ ଝାମ୍ପିନେଲା ଦୁର୍ବୃତ୍ତ। ଚୋରକୁ କାବୁ କରିବାକୁ ଯାଇ ଚଳନ୍ତା ଟ୍ରେନରୁ ଡେଇଁପଡିଲେ ସ୍ୱାମୀ ଜଗେନ୍ଦ୍ର ରାଓ। ସ୍ୱାମୀ ଡେଇଁବା ଦେଖି ସ୍ତ୍ରୀ ଜୟଲକ୍ଷ୍ମୀ ରାଓ ମଧ୍ୟ ଡେଇଁପଡିଥିଲେ। ଟ୍ରେନ ଟ୍ରାକରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜୟଲକ୍ଷ୍ମୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।
ଅଭିଯୋଗ ମୁତାବକ ଖଲ୍ଲିକୋଟ ରେଲୱେ ଷ୍ଟେସନ ପ୍ଳାଟଫର୍ମରେ ଆଜି ୧୦ଟା ୩୦ ସମୟରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳ ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ ଅଟକି ଥିଲା।
କିଛି ସମୟ ପରେ ଟ୍ରେନ ଛାଡିବା ବେଳକୁ ଗେଟ ପାଖ ସିଟରେ ଜଗେନ୍ଦ୍ରଙ୍କ ପୁଅ ମୋବାଇଲ ଧରି ବସିଥିବା ବେଳେ ହଠାତ୍ ଜଣେ ଦୁବୃର୍ତ୍ତ ଆସି ମୋବାଇଲକୁ ଝାମ୍ପିନେଇଥିଲା। ଏହା ଦେଖି ସ୍ୱାମୀ-ସ୍ତ୍ରୀ ଉଭୟ ଟ୍ରେନରୁ ଡେଇଁ ପଡିଥିବା ବେଳେ ଟ୍ରେନ ଛାଡି ଦେଇଥିବାରୁ ଦୁଇ ପୁଅ ଝିଅ ଏବଂ ଭାଉଜ ଟ୍ରେନରୁ ଓହ୍ଲାଇ ନ ପାରି ବାଲୁଗାଁ ଚାଲିଯାଇଥିଲେ। ସେଠାରୁ ସେମାନେ ଖଲ୍ଲିକୋଟ ଫେରିଥିବା ଜଣାପଡ଼ିଛି।
ଆସିକା ଲୋକସଭା ମଣ୍ଡଳୀରେ ଏକ ମାତ୍ର ଖଲ୍ଲିକୋଟ ରେଲୱେ ଷ୍ଟେସନ ଯାଉଥିବା ବେଳେ ଦୈନିକ ଶହ ଶହ ଯାତ୍ରୀ ଏଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ଷ୍ଟେସନ ପରିସରରେ ରେଳବାଇ ପୁଲିସ ମୁତୟନ ନଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି। ତେଣୁ ୨୪ ଘଣ୍ଟା ରେଳବାଇ ପୁଲିସ ମୁତୟନ ରହିବା ପାଇଁ ସାଧାରଣରେ ଦାବି ହେଉଛି।