ଗହଣା ଦୋକାନ ଲୁଟ୍: ସିସିଟିଭି କ୍ୟାମେରାରେ କଏଦ ଲୁଟେରାଙ୍କ କାରନାମା

ପାଟଣା,ଏନ୍ଏନ୍ଏସ୍: କିଛି ଦିନ ହେଲା ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା। ଲୁଟେରାଙ୍କ ଟାର୍ଗେଟ ରେ ଏବେ ପାଟଣା ଥାନା ଅଞ୍ଚଳ। ଗତକାଲି ରାତିରେ ପାଟଣା ବଜାର ଉପରେ ଥିବା ପ୍ରମିଳା ଜୁଏଲେରୀରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ ହୋଇଛି। ଲୁଟେରାମାନେ ଜୁଏଲାରୀର ପଛ ପଟ ଆଜିବେଷ୍ଟସ୍ ଭାଙ୍ଗି ଦୋକାନ ଭିତରୁ ପଶି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଲୁଟ କରିଛନ୍ତି। ଏହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଦୋକାନ ମାଲିକ ଅଜୟ କୁମାର ପରିଡା ପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ପାଟଣା ଥାନା ପୁଲିସ କେସ୍ ନଂ-୧୦/୨୧ରେ ମାମଲା ରୁଜୁ କରିଛି। ପରେ ପାଟଣା ପୁଲିସ ଘଟଗାଁ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଓ ପାଟଣା ଥାନା ସବ ଇନ୍ସପେକ୍ଟର ଶିବଶଙ୍କର ଆଲଦା ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାଟଣା ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଠାରେ ଅସନ୍ତୋଷ ଦେଖା ଦେବା ସହ ରାତ୍ରକାଳୀନ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି ହୋଇଛି।