ତଲାସୀ କରିବାକୁ ଆସିଥିଲେ, ଚୋରିକରି ନେଇଗଲେ

ଦେବଗଡ,ଏନ୍ଏନ୍ଏସ୍: ଦେବଗଡରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଘରେ ତଲାସୀ କରିବାକୁ ଆସି ଅବକାରୀ କର୍ମଚାରୀମାନେ ଚୋରି କରି ନେଇଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତ ୨୭ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଅଭିଯୋଗରେ ବାଘବର ଗ୍ରାମର ପେଜୁ ନାଏକଙ୍କ ଘରେ ଚଢ଼ଉ କରାଯାଇଥିଲା। ତେଜୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ସେତେବେଳେ ସେ ଡାକ୍ତରଖାନାରେ ଥିଲେ। ତାଙ୍କର ଅନୁପସ୍ଥିତିରେ ଅବକାରୀ ବିଭାଗ କର୍ମଚାରୀମାନେ ତାଙ୍କ ଘରକୁ ତଲାସୀ ନେବାକୁ ପଶିଥିଲେ।

ଘରେ ତାଙ୍କ ବୋହୂ ଏକୁଟିଆ ଥିବାବେଳେ ତାଙ୍କର ହାତ ଧରି ଘରୁ ବାହାର କରିଦେବା ସହ ତଲାସୀ କରିଥିଲେ। ସେମାନଙ୍କ ଯିବା ପରେ ତାଙ୍କ ଘରୁ ୨ ଭରି ସୁନା ଓ ୨୦ ହଜାର ଟଙ୍କା ଚୋରି କରି ନେଇଥିବା ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଅନୁଗୁଳରୁ ଚିକିତ୍ସିତ ହୋଇ ଫେରିବା ପରେ ଶନିବାର କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।