ନିଶା ଦେଇ ବ୍ୟବସାୟୀଙ୍କୁ ଲୁଟ କରିଥିବା ଅଭିଯୋଗ

ରାୟଗଡ଼,ଏନ୍ଏନ୍ଏସ୍: ରାୟଗଡ଼ରେ ଏବେ ଲୁଟେରାମାନେ ଲୋକଙ୍କୁ ଲୁଟିବାର ଏକ ନୂଆ ପଇଁତରା ଆପଣାଇଛନ୍ତି। ସୂଚନା ଅନୁସାରେ ଜଣେ ପାନ ଦୋକାନୀଙ୍କୁ ନିସା ଦେଇ ତା’ଠାରୁ ସୁନା ଚେନ, ମୁଦି ସହ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରାୟଗଡ ସହରର ଜଣେ ଉକ୍ତ ପାନଦୋକାନୀର ପୁଅ ସନ୍ତୋଷ ପାଢ଼ୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଶନିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ସାରଳା ଛକ ନିକଟ ତହସିଲଦାର କାର୍ୟ୍ୟାଳୟ ନିକଟ ଗଳିରେ ରହିଥିବା ପାନ ଦୋକାନୀଙ୍କୁ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କ କାର୍ୟ୍ୟାଳୟରେ କିଛି ମିଟିଙ୍ଗ ରହିଥିବା କହି ଡ୍ରିଂକ୍ସ ଅଡର ଦେଇଥିଲେ। ରବିବାର ସକାଳେ ସେହି ବ୍ୟକ୍ତି ଜଣଙ୍କ ଆସି ପାନ ଦୋକାନ ମାଲିକଙ୍କୁ ଅଡର ସହ ଆଡଭାନ୍ସ ଦେବାକୁ ସାଥିରେ ଡାକିବାରୁ ବ୍ୟବସାୟୀ ସତ୍ୟନାରାୟଣ ପାଢ଼ୀ ତାଙ୍କ ସାଙ୍ଗରେ ଯାଇଥିଲେ। ପରେ ବ୍ୟବସାୟୀ ଜଣଙ୍କ ଦିନ ୧୨ଟା ପର୍ୟ୍ୟନ୍ତ ନଫେରିବାରୁ ପଡ଼ିସା ଦୋକାନୀ ସତ୍ୟନାରାୟନଙ୍କ ପୁଅକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ବ୍ୟବସାୟୀଙ୍କ ପୁଅ ସନ୍ତୋଷ ବାପା ସତ୍ୟନାରାୟଣଙ୍କୁ ବହୁ ଖୋଜା ଖୋଜି କରିବାପରେ ନ ପାଇବାରୁ ଥାନରେ ଅଭଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ବ୍ୟବସାୟୀଙ୍କ ମୋବାଇଲ ନଂ ଟ୍ରାକ୍ କରି ଲୋକେସନ ଜାଣିଥିଲେ। ପରେ ସନ୍ଧ୍ୟା ୬ଟା ବେଳେ କୋରାପୁଟର ୩୨୬ନଂ ଜାତୀୟ ରାଜପଥ ଶିରିକୋନା ନିକଟ ବିଦ୍ୟାଳୟ ପରିସରରୁ ସଂଜ୍ଞାହୀନ ଅବସ୍ଥାରେ ବ୍ୟବସାୟୀ ସତ୍ୟନାରାୟନଙ୍କୁ ଉଦ୍ଧାର କରି ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ବର୍ତ୍ତମାନ ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପଟେ ଲୁଟେରାଙ୍କୁ ଧରିବାକୁ ତଦନ୍ତ ଜାରିରହିଥିବା ବେଳେ ଏସ୍ଆଇ ମାନସ କୁମାର ସାହୁ,ଏସ୍ଆଇ ସୌମ୍ୟରଞ୍ଜନ ପତି ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।