ଆସିଲେ ଭାଙ୍ଗିଲେ ଲୁଟିଲେ ୪ ଲକ୍ଷ

କଟକ, ଏନ୍ଏନ୍ଏସ୍ : କଟକରେ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବଢ଼ିଚାଲିଛି। ଅଭିନବ ଉପାୟରେ ଲୁଟେରା ଲୁଟ୍ କରିବାକୁ ପଛାଉନାହାନ୍ତି। ଶକ୍ରୁବାର ସ୍ପଷ୍ଟ ଦିବାଲୋକରେ ଏକ କାର୍ କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ରହିଥିବା ଏକ ବ୍ୟାଗକୁ ଲୁଟିନେଇ ଜଣେ ଦୁର୍ବୃତ୍ତ ଚମ୍ପଟ ମାରିଛି, ଯାହାକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଘଟଣାଟି ଘଟିଛି କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀବିହାର ଅଂଚଳର ସେଲିବ୍ରେସନ୍ ମଣ୍ଡପ ସମ୍ମୁଖରେ।

ସୂଚନା ଅନୁଯାୟୀ, କହ୍ନେଇପୁରର ପ୍ରଶାନ୍ତ କୁମାର ସେନାପତି ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ମହାନଦୀବିହାରସ୍ଥ ଆକ୍ସିସ୍ ବ୍ୟାଙ୍କରୁ ୪ ଲକ୍ଷ ୨୮ ହଜାର ଟଙ୍କା ଉଠାଇଥିଲେ। ୨୮ ହଜାର ଟଙ୍କା ନିଜ ପକେଟରେ ରଖି ଅବଶିଷ୍ଟ ୪ ଲକ୍ଷ ଟଙ୍କା ଏକ ବ୍ୟାଗ୍ରେ ଭର୍ତ୍ତି କରିଥିଲେ। ଏହି ଟଙ୍କାବ୍ୟାଗକୁ ନେଇ ସେ ତାଙ୍କ ମାରୁତି ସ୍ୱିଫ୍ଟ କାରରେ ରଖି ପାଖରେ ଥିବା ଏକ ବିରିୟାନି ଦୋକାନକୁ ଯାଇଥିଲେ। ଏହାର ସୁଯୋଗ ନେଇ ତାଙ୍କ କାର୍ ପଛ ସିଟ୍ ପାଖ କାଚ ଭାଙ୍ଗି ଟଙ୍କା ବ୍ୟାଗକୁ ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା।

ପ୍ରଶାନ୍ତଙ୍କ କହିବା ଅନୁଯାୟୀ ସେ କାରରେ ଟଙ୍କା ରଖି ବିରିୟାନୀ ଦୋକାନକୁ ମାତ୍ର ଦୁଇ ମିନିଟ ପାଇଁ ଯାଇଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ କାର କାଚ ଭାଙ୍ଗି ଟଙ୍କା ବ୍ୟାଗ ନେଇ ବାଇକ ଯୋଗେ ମହାନଦୀବିହାର ଆଡକୁ ପଳାଇଯାଇଥିବାର ସେ ଦେଖିଥିଲେ। ତେବେ ତାକୁ ଧରିବା ସମ୍ଭବ ହୋଇନଥିଲା। ଏହି ବ୍ୟାଗରେ ଟଙ୍କା ସହ କିଛି ଜରୁରୀ କାଗଜପତ୍ର ଥିଲା। ଚାଉଳିଆଗଞ୍ଜ ଥାନାରେ ସେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚô ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।